Categories: ଖେଳ

କଟକ, ଆରଏସ୍‌ପି, ସୁବର୍ଣ୍ଣପୁର, ଦେବଗଡ଼ ବିଜୟୀ

ଭୁବନେଶ୍ୱର, ୪ା୫ (ସ୍ପୋଟର୍‌ସ ବ୍ୟୁରୋ): ୬୨ତମ ସିନିୟର ପୁରୁଷ ଆନ୍ତଃଜିଲା ଫୁଟ୍‌ବଲ ଚାମ୍ପିୟନଶିପ୍‌ ସାହାଣୀ କପ୍‌ରେ ବୁଧବାର ବିଭିନ୍ନ ଗ୍ରାଉଣ୍ଡରେ ଖେଳାଯାଇଥିବା ୪ଟି ମ୍ୟାଚରେ କଟକ, ଆରଏସ୍‌ପି, ସୁବର୍ଣ୍ଣପୁର ଓ ଦେବଗଡ଼ ବିଜୟୀ ହୋଇଛନ୍ତି। କଟକର ଓଟିଏମ୍‌ ଗ୍ରାଉଣ୍ଡରେ କଟକ ୧-୦ ଗୋଲ୍‌ରେ କେନ୍ଦୁଝରକୁ ପରାସ୍ତ କରିଛି। ଦୀନବନ୍ଧୁ ଦାସ ଖେଳର ୯ମ ମିନିଟରେ ବିଜୟସୂଚକ ଗୋଲ୍‌ଟିକୁ ସ୍କୋର କରିଥିଲେ। କଟକସ୍ଥିତ ବିଡ଼ାନାସୀ ଗ୍ରାଉଣ୍ଡରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆରଏସ୍‌ପି) ୫-୦ ଗୋଲ୍‌ରେ ଯାଜପୁରକୁ ହରାଇ ଦେଇଛି। ଦଳ ପକ୍ଷରୁ ବେତାଳ ଲାକ୍ରା, ଆନନ୍ଦ ଓରାମ, ସମୀର କେରକେଟା, ଅଡଓ୍ବିନ ତିର୍କୀ ଓ ପ୍ରଦୀପ ବରୁଆ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ଗ୍ରାଉଣ୍ଡରେ ସୁବର୍ଣ୍ଣପୁର ୭-୧ ଗୋଲ୍‌ରେ ନବରଙ୍ଗପୁରକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଜିତୁ ମୁଦୁଲି ୨ଟି ଗୋଲ୍‌ ସ୍କୋର କରିଥିବା ବେଳେ ଚିତ୍ତରଞ୍ଜନ ପ୍ରଧାନ, ବିକ୍ରମ ମାଝି, ବିନୟ ମାଝି, କବୀର ଖାଡିଆ ଓ ଚନ୍ଦ୍ରକାନ୍ତ ଦାସ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଭୁବନେଶ୍ୱରସ୍ଥିତ ୭ମ ବାଟାଲିୟନ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ ଦେବଗଡ଼ ୬-୨ରେ ରାୟଗଡ଼ାକୁ ପରାଜିତ କରିଛି। ଏଥିରେ ଦେବଗଡ଼ ପକ୍ଷରୁ ପାତ୍ରାସ ମିଞ୍ଜ୍‌ ୧୧ତମ, ୩୫ତମ ଓ ୭୨ତମ ମିନିଟ୍‌ରେ ବ୍ୟକ୍ତିଗତ ୩ଟି ଗୋଲ ଦେଇଥିବା ବେଳେ ସୁଶୀଲ କେରକେଟା, ସୁରେଶ ଖାଡ଼ିଆ ଓ ରୋହିତ ମୁଣ୍ଡା ପ୍ରମୁଖ ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର କରିଥିଲେ।

Share