Categories: ଖେଳ

କଟକ ଜିତିଲା ସାହାଣୀ କପ୍‌

ଭୁବନେଶ୍ୱର, ୧୮।୫ (କ୍ରୀଡ଼ା ପ୍ରତିନିଧି): ଆନ୍ତଃ ଜିଲା ସାହାଣୀ କପ୍‌ ଫୁଟବଲ ଟୁର୍ନାମେଣ୍ଟର ୬୨ତମ ସଂସ୍କରଣ ବୁଧବାର ଶେଷ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କଟକ-କନ୍ଧମାଳ ଦ୍ୱିତୀୟ ଫାଇନାଲ ୧-୧ ଗୋଲରେ ଡ୍ର ରହିଥିଲା। କନ୍ଧମାଳ ପକ୍ଷରୁ ବିଜୟ ମୁଖୀ ୪୦ ଓ କଟକର ଦୀନବନ୍ଧୁ ଦାସ ୪୫ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ତେବେ ଡବଲ ଲିଗ୍‌ ବିଶିଷ୍ଟ ଫାଇନାଲର ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବାରୁ କଟକ ଚାମ୍ପିୟନ ହୋଇଛି। ୧୪ ତାରିଖରେ ଅନୁଷ୍ଠିତ ପ୍ରଥମ ଫାଇନାଲରେ କଟକ ୨-୧ ଗୋଲରେ କନ୍ଧମାଳକୁ ପରାସ୍ତ କରିଥିଲା। ଚାମ୍ପିୟନ ଦଳକୁ ଟ୍ରଫି ସହ ୧,୦୦,୦୦୦ ଏବଂ ରନରଅପ୍‌ ଦଳକୁ ୫୦,୦୦୦ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ତୃତୀୟ ଓ ୪ର୍ଥ ସ୍ଥାନ ହାସଲ କରିଥିବା ଦଳକୁ ଯଥାକ୍ରମେ ୨୫,୦୦୦ ଓ ୧୫,୦୦୦ ଟଙ୍କା ଦିଆଯାଇଥିଲା। ପ୍ରକାଶ ଯୋଗ୍ୟ ଯେ, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଚାମ୍ପିୟନ ଦଳକୁ ୨ ଲକ୍ଷ ଓ ରନରଅପ୍‌ ଦଳକୁ ୧ ଲକ୍ଷ ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଉଦ୍‌ଯାପନୀ ଉତ୍ସବରେ ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି, ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା, ଉପସଭାପତି ବିଜୟ ଦାସ, ଦିଲୀପ କୁମାର ସାହୁ, ହୃଦୟ ରଞ୍ଜନ ବେହେରା, ଯୁଗ୍ମ ସମ୍ପାଦକ ବିଶ୍ୱ ରଞ୍ଜନ ଘଡ଼େଇ, ଅଭିଜିତ ପାଲ, ମହମ୍ମଦ ସହିଦ ଜବାର, ସଦସ୍ୟ କମଳାକାନ୍ତ ପାଣ୍ଡେ, ଶିବ ପ୍ରସାଦ ତ୍ରିପାଠୀ, ତଡ଼ିତ କୁମାର ରାଉତ, ବିଜୟ କୁମାର ଦାସ, ଅମିତ କୁମାର ବେହେରା, ଶିବବ୍ରତ ମଲିକ, ମହିଳା କମିଟି ଅଧ୍ୟକ୍ଷ ସହଦେବ ରାଉତ, ରାଜ୍ୟ କ୍ରୀଡ଼ା ବିଭାଗର ଓଏସ୍‌ଡି ଶୁଭେନ୍ଦୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

 

Share