Categories: ଫୁରସତ

ମଣିଷ ହତ୍ୟା ସହ ସମାନ କାକଟସ୍‌ କାଟିବା

ମଣିଷ ହତ୍ୟା ସହ କାକଟସ୍‌ କାଟିବା ସମାନ। ଏଭଳି ଶୀର୍ଷକକୁ ଗ୍ରହଣ କରିବା ସହଜ ନୁହେଁ। କିନ୍ତୁ ବିଶ୍ୱରେ ଏଭଳି ଏକ ସ୍ଥାନ ଅଛି, ଯେଉଁଠାରେ କାକଟସ୍‌ କାଟିଲେ ଅଭିଯୁକ୍ତଙ୍କୁ ଜଣେ ହତ୍ୟାକାରୀଙ୍କ ଭଳି ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ। ଆମେରିକାର ଆରିଜୋନା ରାଜ୍ୟରେ ଏଭଳି ନିୟମ ଅଛି। ଏହି ରାଜ୍ୟରେ ବିନା ଅନୁମତିରେ କାକଟସ୍‌ କାଟିଲେ କିମ୍ବା କ୍ଷତି ପହଞ୍ଚାଇଲେ ୨୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ। ତେବେ ଏହି ଦଣ୍ଡାଦେଶ ସଭିଙ୍କ ପାଇଁ ନୁହେଁ। ଭୁଲ ବଶତଃ କାକଟସ୍‌ କାଟିଲେ ଯର୍ଥାତ ପ୍ରମାଣ ଦେବାକୁ ପଡ଼ିବ। ତା’ ପରେ ହିଁ ଜେଲ ଦଣ୍ଡ ହ୍ରାସ କରାଯାଇପାରେ।

ତେବେ ଏଭଳି ଆଇନ କାହିଁକି? ସାଗୁଆରୋ କାକଟସ୍‌କୁ ବଢ଼ିବାକୁ ଲାଗିଥାଏ ଲମ୍ବା ସମୟ। ପାଖାପାଖି ୧୫୦ରୁ ୨୦୦ ବର୍ଷ ବଞ୍ଚୁଥିବା ଏହି କାକଟସ୍‌କୁ ଯଦି କଟା ନ ଯାଏ ତେବେ ପ୍ରଥମ ୧୦ ବର୍ଷରେ ମାତ୍ର ଦୁଇ ଇଞ୍ଚ ହିଁ ବଢ଼ିଥାଏ। ଏହି କାରଣରୁ ଆରିଜୋନାରେ କାକଟସ୍‌ କାଟିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। କିଛି ଗଛ କଟିଲା ପରେ ପୁଣି ଥରେ ବଞ୍ଚିବା ସମ୍ଭବ କିନ୍ତୁ ସାଗୁଆରୋ କାକଟସ୍‌ କ୍ଷେତ୍ରରେ ଏହା ଘଟେ ନାହିଁ। ଏଣୁ ଆରିଜୋନାରେ ଛୋଟିଆ ଭୁଲ ସାରା ଜୀବନ ମନେ ରହିପାରେ।

Share