ଭୁବନେଶ୍ୱର,୫।୨(ବ୍ୟୁରୋ): ଚଳିତବର୍ଷ ବିଜ୍ଞାନ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ ଓଡ଼ିଆ ବିଜ୍ଞାନୀଙ୍କୁ ସିଭି ରମଣ ପୁରସ୍କାର ପ୍ରଦାନ କରାଯିବ। ଏ ନେଇ ଶନିବାର ଓଡ଼ିଶାର ସିଭି ରମଣ ଚୟନ ପରିଷଦ ମହାସଚିବ ଡ. ବିଶ୍ୱଜିତ ପ୍ରଧାନ ଘୋଷଣା କରିଛନ୍ତି। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାଟେରିଆଲ୍ସର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ସ୍ବାଧୀନ ପଟ୍ଟନାୟକ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ଶିବ ପ୍ରସାଦ ଅଧିକାରୀଙ୍କୁ ‘ବରିଷ୍ଠ ବୈଜ୍ଞାନିକ ସମ୍ମାନ’ ଓ ଜର୍ମାନୀର ଜର୍ଜ ଅଗଷ୍ଟ ବିଶ୍ୱବିଦ୍ୟାଳୟର ଯୁବ ରସାୟନ ବିଜ୍ଞାନୀ ଡ. ଶେଷ କିଷାନଙ୍କୁ ‘ସିଭି ରମଣ ଯୁବ ବୈଜ୍ଞାନିକ ପୁରସ୍କାର’ ପ୍ରଦାନ କରାଯିବ। ଏଥିସହିତ ପୁଣେସ୍ଥିତ ଆଇଜରରେ ଗବେଷଣାରତ ଛାତ୍ର ଜିସୁ ଦାସଙ୍କୁ ‘ବିଜ୍ଞାନ ଜ୍ୟୋତି ସମ୍ମାନ’ ପ୍ରଦାନ କରାଯିବ ବୋଲି ସିଭି ରମଣ ଚୟନ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।