ଡ. ଗୌରୀଶଙ୍କର ସାହୁ
୧୯୮୬ ମସିହାରେ ଜାତୀୟ ବିଜ୍ଞାନ ଓ ପ୍ରାଦ୍ୟୋଗିକ ସମ୍ପ୍ରେଷଣ ପରିଷଦ (ଏନ୍ସିଏସ୍ଟିଏସ୍)ର ପ୍ରସ୍ତାବ ମୁତାବକ ତତ୍କାଳନୀ ରାଜୀବ ଗାନ୍ଧୀ ସରକାର ୨୮ଫେବୃୟାରୀକୁ ଜାତୀୟ ବିଜ୍ଞାନ ଦିବସ ରୂପେ ପାଳନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। ଭାରତୀୟ ପଦାର୍ଥ ବିଜ୍ଞାନୀ ଭାରତରତ୍ନ ଚନ୍ଦ୍ରଶେଖର ଭେଙ୍କଟରମଣଙ୍କ ଦ୍ୱାରା ‘ରମଣ ପ୍ରଭାବ’ ଆବିଷ୍କାର ସ୍ମୃତିର ସ୍ବାକ୍ଷର ବହନକରେ ଏହିଦିନ।
ରମଣଙ୍କ ଦ୍ୱାରା ଆବିଷ୍କୃତ ‘ରମଣ ପ୍ରଭାବ’ ଆଲୋକ ବିଜ୍ଞାନରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। ଏହି କାଳଜୟୀ ଆବିଷ୍କାର ପାଇଁ ଏସିଆ ମହାଦେଶର ପ୍ରଥମ ବୈଜ୍ଞାନିକ ଭାବେ ବିଜ୍ଞାନର ଏକ ବିଭାଗରେ ନୋବେଲ ସମ୍ମାନରେ ସମ୍ମାନିତ ହୋଇଛନ୍ତି ରମଣ ୧୦ ଡିସେମ୍ବର ୧୯୩୦ରେ। ଏହା ସତ୍ୟ ଯେ ନୋବେଲ୍ ସମିତିର ବୈଠକଗୁଡ଼ିକ ବଡ଼ ଗୋପନୀୟ ହୋଇଥାଏ ଓ ପୁରସ୍କାର ଘୋଷଣାର ଗୋଟିଏ ସେକେଣ୍ଡ ପୂର୍ବରୁ ମଧ୍ୟ ଖବରଟି ଜଣାପଡ଼ି ନ ଥାଏ। ପ୍ରତିବର୍ଷ ୧୦ ଡିସେମ୍ବରରେ ପୁରସ୍କାର ଦିଆଯାଏ ସ୍ବିଡେନ୍ରେ ଓ ମାତ୍ର ମାସେ ଆଗରୁ ବିଜେତାଙ୍କ ନାମ ଘୋଷଣା କରେ ଚୟନ ସମିତି। ମାସେ ଭିତରେ ଟିକେଟକରି କଲିକତାରୁ ସୁଇଡେନ୍ ଜଳପଥରେ ପହଞ୍ଚତ୍ବା ସମ୍ପୂର୍ଣ୍ଣ ଅସମ୍ଭବ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପୁରସ୍କାର ଘୋଷଣାର ଯଥେଷ୍ଟ ପୂର୍ବରୁ ୧୯୩୦ରେ ଚନ୍ଦ୍ରଶେଖର ଭେଙ୍କଟରମଣ ସୁଇଡେନ୍କୁ ଦୁଇଟି ଟିକେଟ ଷ୍ଟିମରରେ ବୁକ୍ କରିଥିଲେ। ଗୋଟିଏ ନିଜ ପାଇଁ ଆରଟି ଧର୍ମପତ୍ନୀ ଲୋକ ସୁନ୍ଦରୀଙ୍କ ପାଇଁ। ସଶରୀରେ ସପତ୍ନୀକ ନୋବେଲ ପୁରସ୍କାର ଗ୍ରହଣ କଲେ ସୁଇଡେନ୍ ମାଟିରେ। ନିଜ ବକ୍ତୃତା ରଖିଲେ ସମବେତ ସୁଧିଜନଙ୍କ ସମ୍ମୁଖରେ। ତା’ହେଲେ ସେ କ’ଣ କାଳକୁ କରାୟତ୍ତ କରି ରଖିଥିଲେ?
ମୂଳରୁ ସମୟ ତାଙ୍କୁ ବାଟ ଛାଡ଼ିଦେଉଥିଲା ସବୁବେଳେ। ୭ ନଭେମ୍ବର ୧୮୮୮ରେ ବିଶାଖାପାଟଣାର ମିସେସ୍ ଏ.ଭି.ଏନ୍. କଲେଜର ଅଧ୍ୟାପକ ଚନ୍ଦ୍ରଶେଖର ଆୟାର ଓ ପାର୍ବତୀ ଆମ୍ମାଲଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ। ଚନ୍ଦ୍ରଶେଖର ଭେଙ୍କଟରମଣ ମାତ୍ର ୧୩ ବର୍ଷ ବୟସରେ ୱାଲ୍ଟିଅର ସହରର ହିନ୍ଦୁ କଲେଜରୁ ଇଣ୍ଟରମିଡିଏଟ ପାସ୍ କରିଥିଲେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇଥିଲେ। ୧୬ ବର୍ଷ ବୟସରେ ପଦାର୍ଥ ବିଜ୍ଞାନରେ ସ୍ବର୍ଣ୍ଣପଦକ ସହିତ ସ୍ନାତକ ଡିଗ୍ରୀ କଲେ ।
ମାତ୍ର ୧୯ ବର୍ଷ ବୟସରେ ପ୍ରେସିଡେନ୍ସି କଲେଜରୁ ରେକର୍ଡ ନମ୍ବର ରଖି ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲେ। ଏ ତ ଗଲା ଶିକ୍ଷା କଥା। ସ୍ନାତକୋତ୍ତର ଶିକ୍ଷା ବେଳେ ଥରେ ଦଳେ ପିଲାଙ୍କର ପଦାର୍ଥ ବିଜ୍ଞାନର ଏକ ବିଷୟ ଉପରେ ସନ୍ଦେହ ଉପୁଜିବାରୁ ସେମାନେ ଅଧ୍ୟାପକଙ୍କ ପାଖକୁ ଗଲେ। ସେ ବହୁ ଚେଷ୍ଟାକରି ଏହାର ଉତ୍ତର ଖୋଜି ପାଇଲେ ନାହିଁ। ରମଣ ସମସ୍ୟାଟିକୁ ଦେଖିଲେ, ସମ୍ୟକ୍ ଉତ୍ତର ଦେଇଦେଲେ। ହେଲେ ଉତ୍ତରଟି ଠିକ୍ କି ଭୁଲ୍ ଜାଣିବା ପାଇଁ ବିଲାତରେ ଜଣେ ପଦାର୍ଥ ବିଜ୍ଞାନ ଅଧ୍ୟାପକଙ୍କୁ ପତ୍ର ଲେଖିଲେ। ଅଧ୍ୟାପକ ପତ୍ର ପଢ଼ି ଏହାକୁ ବୈଜ୍ଞାନିକ ଜର୍ନାଲରେ ପ୍ରକାଶ କରିବା ପାଇଁ କହିଲେ। ରମଣ ସନ୍ଦର୍ଭଟି ନିଜେ ଲେଖି ଇଂଲଣ୍ଡରୁ ପ୍ରକାଶିତ ପ୍ରତିଷ୍ଠିତ ଫିଲୋସୋଫିକାଲ୍ ମାଗାଜିନକୁ ପଠାଇଲେ ଓ ମାତ୍ର ଅଳ୍ପଦିନ ମଧ୍ୟରେ ୧୯୦୬ ରେ ଆୟତାକାର କଣାଦେଇ ଅସାମ୍ୟ ପ୍ରକୀର୍ଣ୍ଣନ ପଟ୍ଟି ବିଷୟକ ଏହି ସନ୍ଦର୍ଭଟି ଫିଲୋସୋଫିକାଲ୍ ମାଗାଜିନରେ ପ୍ରକାଶିତ ହେଲା ଓ ରମଣ ଥିଲେ ଏହାର ଏକମାତ୍ର ଲେଖକ(ସିଙ୍ଗଲ ଅଥର)। ପରବର୍ଷ ତାଙ୍କ ଦ୍ୱାରା ଲିଖିତ ଅନ୍ୟ ଏକ ଗବେଷଣାତ୍ମକ ନିବନ୍ଧ ସର୍ବଶ୍ରେଷ୍ଠ ଜର୍ନାଲ ‘ନେଚର’ରେ ପ୍ରକାଶିତ ହେଲା। ନିଜ ସମୟଠାରୁ ଢେର ଆଗରେ ଥିଲେ ସେ।
ସ୍ନାତକୋତ୍ତର ପଢ଼ା ସରୁ ସରୁ ଭାରତୀୟ ବିତ୍ତସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୧୯୦୭ରେ କଲିକତାରେ ଆସିଷ୍ଟାଣ୍ଟ ଆକାଉଣ୍ଟାଣ୍ଟ ଜେନେରାଲ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ରମଣ। ମନ କିନ୍ତୁ ଗବେଷଣାରେ। ମହେନ୍ଦ୍ର ଲାଲ୍ ସରକାରଙ୍କ ଦ୍ୱାରା ୧୮୭୬ରେ ପ୍ରତିଷ୍ଠିତ ଇଣ୍ଡିଆନ୍ ଆସୋସିଏସନ ଅଫ୍ କଲ୍ଟିଭେସନ୍ ଅଫ୍ ସାଇନ୍ସର କୋଠା ତାଙ୍କ କାର୍ଯ୍ୟାଳୟ ଯିବା ବାଟରେ ପ୍ରତିଦିନ ତାଙ୍କୁ ଅନ୍ୟ ମନସ୍କ, ଆନ୍ଦୋଳିତ କରୁଥାଏ। ସେ ଟାଣି ହୋଇଗଲେ ଏହି କୋଠାର ଗବେଷଣା କୋଠରିକୁ। କାର୍ଯ୍ୟ ସମୟ ଉପରାନ୍ତେ ସେଠାରେ ଗବେଷଣାରେ ନିମଗ୍ନ ରହିଲେ। ରାଶି ରାଶି ସୂତ୍ର ଓ ତତ୍ତ୍ୱ ସନ୍ଦର୍ଭ, ନିବନ୍ଧ ରୂପେ ବିଶ୍ୱର ପ୍ରତିଷ୍ଠିତ ପତ୍ରିକା, ଜର୍ନାଲରେ ପ୍ରକାଶିତ ହେଲା। ଯୁଗ ପୁରୁଷ ଆଶୁତୋଷ ମୁଖାର୍ଜୀଙ୍କ ଧ୍ୟାନ ଆକର୍ଷଣ କଲେ ଏ ସବୁ ଚିତ୍ର ଓ ଏହି ବିସ୍ମୟ ଚରିତ୍ର।
ଦ୍ୱିଧା ଓ ଦ୍ୱନ୍ଦ୍ୱ ମଧ୍ୟରେ ୧୯୧୭ରେ ଆଶୁତୋଷ ତାଙ୍କୁ କଲିକତା ବିଶ୍ୱବିଦ୍ୟାଳୟରେ ପାଲିତ ଚେୟାର ପ୍ରଫେସର ଅଫ୍ ଫିଜିକ୍ସ ଭାବେ ଯୋଗଦେବା ପାଇଁ ଅନୁରୋଧ କରିବା ମାତ୍ରେ ସେ ରାଜିହୋଇ ପ୍ରଶାସନିକ ପଦବୀ ପରିତ୍ୟାଗ କରି, ଶ୍ରେଣୀକୋଠରିକୁ ପ୍ରବେଶ କରିଗଲେ। ଆଶୁତୋଷ, କୁଳପତି, କଲିକତା ବିଶ୍ୱବିଦ୍ୟାଳୟଙ୍କ ଭାଷାରେ, ”ଏହି ଗୋଟିଏ ଘଟଣା ମୋତେ ଆଶା ଓ ଆଶ୍ୱାସନା ଦେଲା ଯେ ସତ୍ୟର ସନ୍ଧାନୀଙ୍କର ଅଭାବ ନାହିଁ ଏ ମାଟିରେ। ତେଣୁ ଆମ ସ୍ବପ୍ନର ‘ଶିକ୍ଷାମନ୍ଦିର’ ଠିଆ କରିବା ଅସମ୍ଭବ ନୁହେଁ।“ ଲୋଭନୀୟ ଥାଟବାଟ, ମୋଟା ଦରମାକୁ ତୁଚ୍ଛକରି ମନର ମହକ ସହ ବଞ୍ଚିହେବ, ଏକଥା ରମଣ ତାଙ୍କ ନିଷ୍ପତ୍ତି ଦ୍ୱାରା ଦେଖେଇଦେଲେ। ଏହାର ମାତ୍ର ୧୩ ବର୍ଷ ମଧ୍ୟରେ ତାଙ୍କୁ ଓ ତାଙ୍କ ଦେଶବାସୀଙ୍କୁ ସ୍ବିଡେନ୍ ମାଟିରୁ ଭେଟି ମିଳିଲା ବିଶ୍ୱର ସର୍ବଶ୍ରେଷ୍ଠ ସମ୍ମାନ ‘ନୋବେଲ୍’ ରୂପରେ।
ଯେଉଁ ରମଣ ରଶ୍ମି ଆବିଷ୍କାର ପାଇଁ ସେ ଏହି ସର୍ବୋଚ୍ଚ ସମ୍ମାନ ପାଇଲେ ସେହି ଏକା ସମୟରେ ରୁଷିଆର ବୈଜ୍ଞାନିକ ମେଣ୍ଡେଲ ବର୍ଗ ଓ ମେଣ୍ଡଲଷ୍ଟାମ୍ ସ୍ଫଟିକ ଦଣ୍ଡ ଉପରେ ଆଲୋକ ରଶ୍ମି ପକାଇ ଏହି ନୂତନ ରଶ୍ମ୍ିର ସନ୍ଧାନ ପାଇଥିଲେ। ମାତ୍ର ପ୍ରଥମେ ପ୍ରକାଶିତ ହେଲା ରମଣଙ୍କ ସନ୍ଦର୍ଭ ‘ଏ ନ୍ୟୁ ରେଡିଏସନ’ ଭାରତରୁ ପ୍ରକାଶିତ ବୈଜ୍ଞାନିକ ଜର୍ନାଲ ଇଣ୍ଡିଆନ ଜର୍ନାଲ ଅଫ୍ ଫିଜିକ୍ସର ସଂଖ୍ୟା ୨(୩୮୭)ରେ ୧୯୨୮ରେ ଓ ସୁଯୋଗ, ଐଶ୍ୱର୍ଯ୍ୟର ଅଧିକାରୀ ହୋଇଥିଲେ ରମଣ। ଆମେ ବିଦେଶୀ ଯନ୍ତ୍ରାଂଶରେ ଗବେଷଣା କରିବା, ବିଦେଶୀ ଜର୍ନାଲରେ ପ୍ରକାଶିତ କରିବା ପାଇଁ ଶତତ ଚେଷ୍ଟିତ। ମାତ୍ର ୨୦୦ ଟଙ୍କାରେ ସ୍ବଦେଶରେ ନିର୍ମିତ ବୈଜ୍ଞାନିକ ଉପକରଣରେ ସେ ସମ୍ପାଦିତ କରିଥିଲେ ଏହି କାଳଜୟୀ ପରୀକ୍ଷଣ ଓ ଫଳାଫଳ ଥିଲା ଅବିସ୍ମରଣୀୟ। ଏ ବର୍ଷ ଜାତୀୟ ବିଜ୍ଞାନ ଦିବସରେ ଧ୍ୟେୟ ବାକ୍ୟ ରହିଛି, ‘ବିଶ୍ୱହିତରେ ବୈଶ୍ୱିକ ବିଜ୍ଞାନ’। ରମଣ ସ୍କାନର ଆଜି ଲକ୍ଷାଧିକ କୋଟି ଟଙ୍କାର ବେପାରର ସୁଯୋଗ ସୃଷ୍ଟିକରି ଅସଂଖ୍ୟ ନିଯୁକ୍ତି ପ୍ରଦାନ କରୁଛି। ଭାରତ ମୂଳରୁ ସଙ୍ଗୀତ ଓ ବାଦ୍ୟଯନ୍ତ୍ରର ଦେଶ। ସେ ବାଦ୍ୟଯନ୍ତ୍ରରୁ ନିର୍ଗତ ଶବ୍ଦର ଗହନତତ୍ତ୍ୱ ଖୋଜିଥିଲେ ଓ ତାଙ୍କ ଦ୍ୱାରା ପ୍ରକାଶିତ ବୈଜ୍ଞାନିକ ନିବନ୍ଧଗୁଡ଼ିକ ମଧ୍ୟରୁ ଅର୍ଦ୍ଧାଧିକ ମୃଦଙ୍ଗ, ତବଲା ପ୍ରଭୃତି ବାଦ୍ୟଯନ୍ତ୍ର ବିଷୟରେ। ଉତ୍ତର ଜୀବନରେ ସେ ରହୁଥିବା ଦାକ୍ଷିଣାତ୍ୟ ଭୂଖଣ୍ଡର କୃଷ୍ଣା ଉପତ୍ୟକାର ପ୍ରାୟ ୬୦,୦୦୦ ପରିବାର ହୀରାଖଣିରୁ ଜୀବିକା ନିର୍ବାହ କରିଥାନ୍ତି ଦେଖି ‘ହୀରା’ ଉପରେ ଗବେଷଣା କରିଥିଲେ ଓ ରଞ୍ଜନ ରଶ୍ମି ହୀରାର ପୃଷ୍ଠତଳ ଉପରେ ପଡ଼ି ପ୍ରତିଫଳିତ ହେବାବେଳେ ଯେଉଁ ବିଶେଷ ପ୍ରକାର ବର୍ଣ୍ଣାଳୀ ଦିଶେ ତାକୁ ଗାଣିତିକ ତତ୍ତ୍ୱ ମାଧ୍ୟମରେ ପ୍ରକାଶିତ କରି ଏହି ଶିଳ୍ପକୁ ଶକ୍ତି ଓ ସାମର୍ଥ୍ୟ ଦେଇଥିଲେ। ଲୋକଙ୍କ ସହିତ ସମାଜ ସହ ଥିଲା ତାଙ୍କ ସମସ୍ତ ଗବେଷଣା।
ପ୍ରାଧ୍ୟାପକ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ହିମାଚଳପ୍ରଦେଶ
ମୋ: ୭୯୭୮୪୨୧୮୩୫