Categories: ଖେଳ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ସ୍ତ୍ରୀ: ସ୍ବାମୀ କହିଲେ…

ବର୍ମିଂହାମ,୮।୮:: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି। ସ୍କ୍ବାସରେ ଭାରତର ତାରକା ଖେଳାଳି ସୌରଭ ଘୋଷାଲ ଏବଂ ଦୀପିକା ପାଲିକଲ କମନୱେଲଥ ଗେମ୍ସର ମିକ୍ସ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ମ୍ୟାଚରେ ସେ ଅଷ୍ଟ୍ରେଲୀୟ ଯୋଡିଙ୍କୁ ପରାସ୍ତ କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦୀପିକା ପାଲିକଲ ପଦକ ଜିତିବା ମାତ୍ରେ ସ୍ବାମୀ ତଥା କ୍ରିକେଟର୍‌ ଦୀନେଶ କାର୍ତ୍ତିକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ନିଜ ଟୁଇଟର୍‌ରେ ଲେଖିଛନ୍ତି, ତୁମର କଠିନ ପରିଶ୍ରମର ଫଳ ମିଳିଛି। ତୁମ ଦୁହିଁଙ୍କ ପାଇଁ ବହୁତ ଖୁସି ଏବଂ ଗର୍ବିତ।
ଭାରତର ସୁପରଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ୨୦୧୫ରେ ଦୀପିକା ପଲିକଲଙ୍କୁ ବିବାହ କରିଥିଲେ। ଉଭୟ ହିନ୍ଦୁ ରୀତିନୀତି ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୌରଭ ଘୋଷାଲ ଏବଂ ଦୀପିକା ପାଲିକଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟ୍‌ କରି କହିଛନ୍ତି, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍କ୍ବାସ ମିଶ୍ରିତ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଦୀପିକା ପାଲିକଲ ଏବଂ ସୌରଭ ଘୋଷାଲଙ୍କୁ ଅଭିନନ୍ଦନ। ତୁମର ପୋଡିୟମ ଫିନିଶ ଭାରତରେ ସ୍କ୍ବାସପ୍ରେମୀଙ୍କ ପାଇଁ ଏକ ପ୍ରେରଣା। ଏହିପରି ବିଜୟ ଆମ ଦେଶରେ କ୍ରୀଡ଼ାର ଲୋକପ୍ରିୟତା ବଢାଇଥାଏ।
ସୌରଭ ଘୋଷାଲ ଭଲ ଫର୍ମରେ ଅଛନ୍ତି। ସ୍କ୍ବାସରେ ପୁରୁଷ ଏକକ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ। ବର୍ତ୍ତମାନର ସ୍କ୍ବାସରେ ଏହା ହେଉଛି ଭାରତର ଦ୍ୱିତୀୟ ପଦକ।

Share