Categories: ମେଟ୍ରୋ

ଡାକ୍ତର ନାଁରେ ସାଇବର ଠକେଇ

ଭୁବନେଶ୍ୱର,୨୮ା୫(ବ୍ୟୁରୋ): କରୋନା ପରଠାରୁ ସାଇବର ଠକମାନେ ଉତ୍ପାତ କରୁଛନ୍ତି। ବିଭିନ୍ନ ସମୟରେ ରୂପ ବଦଳାଇ ଲୋକଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି। ଏବେ ସାଇବର ଠକମାନେ ଚିକିତ୍ସା ନାଁରେ ଡାକ୍ତର ରୂପରେ ଲୋକଙ୍କୁ ବୋକା ବନେଇ ଠକୁଛନ୍ତି। କୌଣସି ଚିକିତ୍ସା ପାଇଁ ଅନ୍‌ଲାଇନ୍‌ରେ ଯୋଗାଯୋଗ କରୁଥିଲେ ଏଣିକି ସାବଧାନ! କାରଣ ଗୁରୁବାର ରାଜଧାନୀର ଜଣେ ବ୍ୟକ୍ତି ଚିକିତ୍ସା ପାଇଁ ଏଭଳି ଅନ୍‌ଲାଇନ୍‌ରେ ଯୋଗାଯୋଗ କରି ଠକେଇର ଶିକାର ହୋଇଛନ୍ତି। ଆଣ୍ଠୁ ଗଣ୍ଠି ଯନ୍ତ୍ରଣାର ଚିକିତ୍ସା କରାଇବା ଆଳରେ ତାଙ୍କଠାରୁ ୭୦ ହଜାର ଟଙ୍କା ନେଇଯାଇଛନ୍ତି ସାଇବର ଠକ। ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ପାତ୍ରପଡ଼ା ଅଞ୍ଚଳର ସନାତନ ବେହେରା। ଏନେଇ ସେ ସାଇବର ହେଲ୍ପଡ଼େସ୍କରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ସନାତନଙ୍କ ଆଣ୍ଠୁରେ ଯନ୍ତ୍ରଣା ହେଉଥିବାରୁ ସେ କୋଭିଡ୍‌ ଭୟରେ ହସ୍ପିଟାଲ ନ ଯାଇ ଚିକିତ୍ସା ନିମନ୍ତେ ଅନ୍‌ଲାଇନ୍‌ରେ ଡାକ୍ତରୀ ପରାମର୍ଶ ପାଇଁ ସର୍ଚ୍ଚ କରିଥିଲେ। ଏହା ପରେ ଏକ ଅଜଣା ନମ୍ବରରୁ ତାଙ୍କ ନିକଟକୁ ଫୋନ୍‌ କଲ୍‌ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତି ଜଣକ ନିଜକୁ ଡାକ୍ତର ବୋଲି କହି ସନାତନଙ୍କଠାରୁ ତାଙ୍କ ରୋଗ ସମ୍ପର୍କରେ ପଚାରି କିଛି ଔଷଧ ଦେଇଥିଲେ। ଏହାପରେ ସନାତନଙ୍କର ତାଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଆସିଯାଇଥିଲା। ଏହି ସୁଯୋଗରେ ତାଙ୍କ ସହ ଭବିଷ୍ୟତରେ ଚିକିତ୍ସା ନିମନ୍ତେ ଯୋଡ଼ି ହୋଇ ରହିବାକୁ ଏକ ଆପ୍ଲିକେଶନ ଡାଉନ୍‌ଲୋଡ୍‌ କରିବାକୁ କହିଥିଲେ। ଡାକ୍ତରଙ୍କ କଥାନୁସାରେ ସନାତନ ଆପ୍ଲିକେଶନ ଡାଉନ୍‌ଲୋଡ଼୍‌ କରି ଆବଶ୍ୟକ ତଥ୍ୟ ଦେଇଥିଲେ। ଆପ୍ଲିକେଶନ ଡାଉନ୍‌ଲୋଡ୍‌ ପରେ ସନାତନଙ୍କ ମୋବାଇଲ୍‌ ଫୋନର ଆକ୍ସେସ୍‌ ଉକ୍ତ ଠକଙ୍କ ପାଖକୁ ଚାଲିଯାଇଥିଲା। ଏହାପରେ ସେ ସନାତନଙ୍କୁ ୧୦ ଟଙ୍କା ରିଚାର୍ଜ କରିବାକୁ କହିଥିଲେ। ସନାତନ ଅନ୍‌ଲାଇନରେ ରିଚାର୍ଜ କରିବା ଫଳରେ ଠକ ଜଣକ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ହାତେଇ ୭୦ ହଜାର ଟଙ୍କା ଟ୍ରାନ୍ସଫର୍‌ କରିନେଇଥିଲେ।

Share