ମାଲକାନଗିରି ଜିଲାରେ ବଢୁଛି ସାଇବର ଅପରାଧ

ମାଲକାନଗିରି,୧୪ା୩(ଡିଏନ.ଏ.): ରାଜ୍ୟରେ ସାଇବର ଠକେଇ ବଢିବାରେ ଲାଗିଛି। ନିରୀହ ଲୋକଙ୍କୁ ବିଭିନ୍ନ ବାହାନାରେ ଅର୍ଥ ଲୋଭ ଦେଖାଇ ସାଇବର ଅପରାଧୀମାନେ ଅର୍ଥ ଲୁଟ କରୁଛନ୍ତି। ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ମଧ୍ୟ ଏହି ଅପରାଧ ଧୀରେଧୀରେ ବଢିବାରେ ଲାଗିଛି। ଜିଲାରେ ଅଧିକାଂଶ ଲୋକେ ଆଦିବାସୀ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସହଜରେ ଭୁଆଁ ବୁଲାଇ ସାଇବର ଲୁଟେରାମାନେ ଅର୍ଥ ଲୁଟ କରୁଥିବା ଜଣାପଡିଛି। ଏହି ଅପରାଧକୁ ରୋକିବା ଲାଗି ଜିଲାର ପ୍ରାୟ ସମସ୍ତ ଥାନାରେ ସାଇବର ଅପରାଧ ମାମଲା ବଢିବାରେ ଲାଗିଛି। ଜିଲାର ବିଭିନ୍ନ ଥାନାରେ ଗତ ୨୦୨୦ରେ ୧୫୯୯ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି। ଏଥିରୁ ୧୫୨୨ଟିର ଚାର୍ଜ ସିଟ୍‌ ଦାଖଲ ହୋଇଥିବା ବେଳେ ୭୭ଟି ମାମଲାର ଯାଞ୍ଚ ଚାଲିଛି। ସେହିପରି ୨୦୨୧ରେ ଜିଲାରେ ୨୦୬୮ଟି ମାମଲା ରୁଜୁ ହୋଇଥିବା ବେଳେ ଏଥିରୁ ୧୫୨୪ଟି ମାମଲାର ଚାର୍ଜସିଟ୍‌ ହୋଇଛି। ୫୪୪ଟି ମାମଲା ଯାଞ୍ଚରେ ରହିଥିବା ମାଲକାନଗିରି ସାଇବର କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟରୁ ଜଣାପଡିଛି। ତେବେ ଅନେକ ଘଟଣା ସାମ୍ନାକୁ ଆସୁ ନ ଥିବା ବେଳେ ଏହି ଅପରାଧ ମିଳିଥିବା ରେକର୍ଡଠାରୁ ବହୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।