ବଢୁଛି ସାଇବର ଅପରାଧ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜ୍ୟରେ ସାଇବର ଅପରାଧ ବଢି ଚାଲିଛି। ଗତ ଦୁଇ ବର୍ଷ (୨୦୧୯-୨୦) ମଧ୍ୟରେ ସାଇବର ଅପରାଧୀମାନେ ସାଧାରଣ ଲୋକଙ୍କଠାରୁ ୫୧.୧୫ କୋଟି ଟଙ୍କା ଠକି ନେଇଛନ୍ତି। ବିଜେଡି ସଭ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଗତ ଦୁଇବର୍ଷ ମଧ୍ୟରେ ୩୪୦୬ଟି ସାଇବର ଠକେଇ ମାମଲା ରୁଜୁ ହୋଇଛି। ଏଥିରେ ସାଇବର ଅପରାଧୀମାନେ ୫୧,୧୫,୨୮,୮୮୧ ଟଙ୍କା ଠକି ନେଇଛନ୍ତି। ୨୦୧୯ରେ ୧୪୭୫ଟି ସାଇବର ଅପରାଧ ମାମଲାରେ ୧୬.୦୮ କୋଟି ଟଙ୍କା ଠକେଇ କରାଯାଇଥିବା ବେଳେ ୨୦୨୦ରେ ୧୯୩୧ ମାମଲାରେ ୩୫.୦୭ କୋଟି ଟଙ୍କା ଠକେଇ କରାଯାଇଛି। ସାଇବର ଅପରାଧରେ ଜଡିତ ରାଜ୍ୟ ଭିତରୁ ଓ ବାହାରୁ ଦୁଇ ବର୍ଷରେ ୭୦୮ ଜଣଙ୍କୁ ଗିରଫ କରାଯାଇଛି। ୨୦୧୯ରେ ୩୪୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୦୨୦ରେ ୩୬୬ ଜଣଙ୍କୁ ଗିରଫ କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ୨୦୧୯ରେ ମାତ୍ର ୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ୨୦୨୦ରେ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ।
ସେହିପରି ସଦସ୍ୟଙ୍କ ଅନ୍ୟ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, କୋଭିଡ ମହାମାରୀ ସମୟରେ ୨୦୨୦ରେ ରାଜ୍ୟରେ ୨୯୭୪ ବଳାତ୍କାର ମାମଲା ରୁଜୁ ହୋଇଥିବା ବେଳେ ୧୪୭୦ ହତ୍ୟା, ୫ଟି ବ୍ୟାଙ୍କ ଲୁଟ ଏବଂ ୧୭ଟି ଏଟିଏମ ଲୁଟ ଭଳି ମାମଲା ରୁଜୁ ହୋଇଛି। ଆଇନ ଅନୁଯାୟୀ ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯେତେ ବଡ଼ ପଦବୀରେ ଥାଆନ୍ତୁ ନା କାହିଁକି ଆଇନ ଭାଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଓଡ଼ିଶା ପୋଲିସ ଗରିବ, ଦୁର୍ବଳ ଓ ଅବହେଳିତ ଲୋକଙ୍କୁ ସେବା ଯୋଗାଇବା ପାଇଁ ସର୍ବଦା ପ୍ରସ୍ତୁତ। ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବାକୁ ୫-ଟି ଓ ମୋ ସରକାର ଭଳି ଅଭିନବ ପ୍ରୟାସ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Share