ହ୍ବାଟ୍ସଆପ୍‌ ଲଟେରି, ସିମ୍‌କାର୍ଡ ଭେରିଫିକେଶନ ନାଁରେ ସାଇବର ଠକେଇ

ଭୁବନେଶ୍ୱର,୧୮।୭(ବ୍ୟୁରୋ): କ୍ରେଡିଟ୍‌, ଡେବିଟ୍‌ କାର୍ଡ, ୟୁପିଆଇ ଭେରିଫିକେଶନ, ଲୋନ୍‌, ପୁରସ୍କାର, ହନିଟ୍ରାପ୍‌ ଆଦି ବାହାନାରେ ସାଇବର ଠକେଇ ହେଉଛି। ଏବେ ପୂର୍ବଭଳି ପୁଣିଥରେ ହ୍ବାଟସ୍‌ଆପ ଲଟେରି ଓ ସିମ୍‌କାର୍ଡ ଭେରିଫିକେଶନ ନାଁରେ ସାଇବର ଠକମାନେ ଲୋକଙ୍କୁ ଫସାଇ ଲୁଟୁଛନ୍ତି। ସାଧାରଣ ଲୋକେ ଠକଙ୍କ ଅସଲ ଯୋଜନା ବୁଝି ନ ପାରି ସେମାନଙ୍କ ଜାଲରେ ପଡ଼ୁଛନ୍ତି। ତେଣୁ ଏଭଳି ଠକେଇରୁ ବର୍ତ୍ତିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ପୁଣି ସତର୍କ କରାଯାଇଛି। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଟୁଇଟ୍‌ କରି କହିଛନ୍ତି, କିଛିଦିନ ହେବ ହ୍ବାଟ୍‌ସଆପ୍‌ ପକ୍ଷରୁ ୨୫ଲକ୍ଷ ଟଙ୍କା ଲଟେରି ଜିତିଥିବା ନେଇ ଲୋକଙ୍କ ପାଖକୁ ଫୋନ୍‌ କଲ ଆସୁଛି। ଫୋନ୍‌ କଲର ଏକ ଅଡ଼ିଓ ରେକର୍ଡିଂ ମଧ୍ୟ ସେ ଟୁଇଟରେ ପୋଷ୍ଟ କରିଛନ୍ତି। ଏହି ଅଡିଓରେ ଜଣେ ବ୍ୟକ୍ତି ଫୋନ କରି ହ୍ବାଟ୍‌ସଆପ୍‌ ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀରୁ କଲ୍‌ କରିଥିବା କହୁଛନ୍ତି। ଭାରତ ସମେତ ୫ ଦେଶର ଲକି ଡ୍ର ନମ୍ବରରେ ଆପଣ ସିଲେକ୍ଟ ହୋଇଥିବାବେଳେ ୨୫ଲକ୍ଷ ଟଙ୍କା ପାଇବେ ବୋଲି ମୁମ୍ବାଇ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଜଣେ କର୍ମଚାରୀଙ୍କୁ ନମ୍ବର ଦେଇଥିବା କହୁଛନ୍ତି। ଉକ୍ତ ନମ୍ବରକୁ ହ୍ବାଟ୍ସଆପ୍‌ରେ କଲ୍‌ କରି ଟଙ୍କା କିପରି ପାଇପାରିବେ ସେ ସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରନ୍ତୁ ବୋଲି କଲ୍‌ କରିଥିବା ଠକ ଜଣକ କହୁଛନ୍ତି। ତେବେ ଏହା ହେଉଛି ଠକେଇର ଏକ ଯୋଜନା। ତାଙ୍କୁ ଠକ ଦେଉଥିବା ନମ୍ବରରେ କଲ୍‌ କଲେ ବିଭିନ୍ନ ଆଳରେ ବ୍ୟାଙ୍କ ତଥ୍ୟ ଆଦାୟ କରି ଆକାଉଣ୍ଟରୁ ସମସ୍ତ ଟଙ୍କା କାଟିନେବେ। ସେହିପରି ସିମ୍‌ କାର୍ଡ ଭେରିଫିକେସନ୍‌ ନାଁରେ ଏକ ମେସେଜ୍‌ ଆସୁଛି। ମୋବାଇଲ୍‌ ନଂ.୬୨୯୫୨୦୩୩୨୯ରେ ୨୪ ଘଣ୍ଟା ମଧ୍ୟରେ ଯୋଗାଯୋଗ କରିବାକୁ କୁହାଯାଉଛି। ତେଣୁ ଏଭଳି କଲ୍‌ ଓ ମେସେଜଠାରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ଡିସିପି ପରାମର୍ଶ ଦେଇଛନ୍ତି।

Share