ଭୁବନେଶ୍ୱରରେ ଖୋଲିବ ସାଇବର ଥାନା

ଭୁବନେଶ୍ୱର,୧୦।୨(ବ୍ୟୁରୋ): ସାଇବର ଠକେଇଜନିତ ଅଭିଯୋଗ ନେଇ ଗତ ଜାନୁୟାରୀ ୭ ତାରିଖରେ କମିଶନରେଟ ପୋଲିସ ପକ୍ଷରୁ ସାଇବର ହେଲ୍ପ ଡେସ୍କ ପ୍ରତିଷ୍ଠା କରାଯାଇଥିଲା। ଇତିମଧ୍ୟରେ ଏହି ହେଲ୍ପ ଡେସ୍କକୁ ଏକମାସ ପୂରିଥିବାବେଳେ ମଙ୍ଗଳବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ସମୀକ୍ଷା କରିଛନ୍ତି। ପରେ ପୋଲିସ ସେବା ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କମିଶନର ଷଡଙ୍ଗୀ କହିଛନ୍ତି, ଏକ ମାସ ମଧ୍ୟରେ ୧ କୋଟି ୪୦ ଲକ୍ଷ ୫୪ ହଜାର ୯୪୪ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ଆସିଛି। ବିଶେଷ କରି ୟୁପିଆଇ ଟ୍ରାଞ୍ଜାକ୍ସନ ଯୋଗୁ ଅଧିକାଂଶ ଲୋକ ଠକେଇର ଶିକାର ହୋଇଛନ୍ତି। ଏଭଳି ଠକେଇ ରୋକିବା ପାଇଁ ୨୦୨୧ ମସିହା ଶେଷ ସୁଦ୍ଧା ଭୁବନେଶ୍ୱରରେ ସାଇବର ଥାନା ପ୍ରତିଷ୍ଠା କରାଯିବ।
ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ, ଏକମାସ ମଧ୍ୟରେ ହେଲ୍ପ ଡେସ୍କକୁ ଠକେଇ ନେଇ ମୋଟ ୧୨୦୭ଟି ଫୋନ୍‌ କଲ ଆସିଛି। ସେଥିମଧ୍ୟରୁ କେବଳ ଭୁବନେଶ୍ୱରରୁ ୩୬୮ଟି କଲ୍‌ ଆସିଥିବାବେଳେ ୫୨ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଛି। ଭୁବନେଶ୍ୱର ବାହାରୁ ୮୩୭ଟି କଲ୍‌ ଆସିଛି। ୧୨୦୭ କଲ୍‌ ମଧ୍ୟରୁ ୨୨୯ଟି କଲ୍‌ ଠକେଇ ସମ୍ପର୍କିତ ରହିଛି। ମୋଟ ୧କୋଟି ୪୦ଲକ୍ଷ ୫୪ହଜାର ୯୪୪ଟଙ୍କା ଠକେଇ ମଧ୍ୟରୁ ଭୁବନେଶ୍ୱରରୁ କେବଳ ୫୨ଲକ୍ଷ ୧୬ହଜାର ୪୮୩ ଟଙ୍କାର ଠକେଇ ହୋଇଛି। ସେଥିମଧ୍ୟରୁ ମୋଟ ୭ଲକ୍ଷ ୧୯ହଜାର ୭୧୧ ଟଙ୍କାର ଠକେଇ ରୋକିବାରେ ପୋଲିସ ସକ୍ଷମ ହୋଇପାରିଛି। ଡିଜିଟାଲ ଟ୍ରାଞ୍ଜାକ୍ସନ ବଢିବା ପରେ ଠକେଇର ଶିକାର ଘଟଣା ବୃଦ୍ଧି ପାଇଛି। ଏବେସୁଦ୍ଧା ୪୬ଟି ଠକେଇ ମାମଲା ରୁଜୁ ହେଲାଣି। ଏବେ ଲୋକେ ଧିରେ ଧିରେ ସଚେତନ ହେଉଛନ୍ତି। ଆଗଭଳି ଆଉ କ୍ରେଡିଟ କାର୍ଡ, ଡେବିଟ କାର୍ଡ, ଓଟିପି ଆଦି ଅଜଣା ବ୍ୟକ୍ତିଙ୍କୁ ଶେୟାର କରୁନାହାନ୍ତି। ଏଭଳି ଠକେଇକୁ ରୋକିବା ପାଇଁ ଭୁବନେଶ୍ୱରରେ ସାଇବର ଥାନା ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନିଆଯାଇଛି।

Share