ଅଏଲ୍‌ ଇଣ୍ଡିଆକୁ ସାଇବର ଆକ୍ରମଣ

ଗୁଆହାଟୀ/ନୂଆଦିଲ୍ଲୀ,୧୪ା୪: ଭାରତର ଅନ୍ୟତମ ପ୍ରମୁଖ ରାଷ୍ଟ୍ରାୟତ୍ତ ତୈଳ ଉତ୍ପାଦନକାରୀ କମ୍ପାନୀ ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ (ଅଏଲ୍‌) ଉପରେ ସାଇବର ଆକ୍ରମଣ ହୋଇଛି। ଆସାମ ଦିବ୍ରୁଗଡ଼ ଜିଲାର ଦୁଲିଆଜାନ୍‌ରେ ଥିବା ଅଏଲ୍‌ ମୁଖ୍ୟାଳୟକୁ ବିଦେଶୀ ହ୍ୟାକର୍ସମାନେ ଟାର୍ଗେଟ କରି ଏହାର ନେଟ୍‌ଓ୍ବର୍କ, ସର୍ଭର ଓ କ୍ଲାଏଣ୍ଟ୍‌ସ ସିଷ୍ଟମ୍ସକୁ ହ୍ୟାକ୍‌ କରିଛନ୍ତି। ଏଥିସହ ସେମାନେ ୭୫ ଲକ୍ଷ ଡଲାର ରାନ୍‌ସମ୍‌ ଦାବି କରିଛନ୍ତି। ଏହାକୁ ଦେଶରେ କିଛିବର୍ଷ ମଧ୍ୟରେ ସବୁଠୁ ବଡ଼ ସାଇବର ଆଟାକ୍‌ ବୋଲି କୁହାଯାଉଛି।
ଅଏଲ୍‌ ଇଣ୍ଡିଆ ପକ୍ଷରୁ ପ୍ରାରମ୍ଭିକ ତଦନ୍ତ ପରେ ବୁଧବାର ଏକ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଏକ ଶକ୍ତିଶାଳୀ ଭାଇରସ୍‌ ଯୋଗୁ ଅଏଲ୍‌ର ନେଟ୍‌ଓ୍ବର୍କ, ସର୍ଭର ଓ କ୍ଲାଏଣ୍ଟ୍‌ସ ସିଷ୍ଟମ୍ସ ଅଚଳ ହୋଇଯାଇଛି। ମାଲ୍‌ଓ୍ବେର ଯୋଗୁ ମୁଖ୍ୟାଳୟର କେତୋଟି କମ୍ପ୍ୟୁଟର ମଧ୍ୟ ପ୍ରଭାବିତ ହୋଇଛି। ସବୁ ସିଷ୍ଟମ୍‌କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ସମୟ ଲାଗିବ। ପ୍ରତିକାରମୂଳକ ପଦକ୍ଷେପ ସ୍ବରୂପ କମ୍ପ୍ୟୁଟରଗୁଡ଼ିକୁ ଲୋକାଲ୍‌ ଏରିଆ ନେଟ୍‌ଓ୍ବର୍କ୍‌ (ଲେନ୍‌)ରୁ ବିଚ୍ଛିନ୍ନ କରାଯାଇଛି। ସାଇବର ଆକ୍ରମଣକାରୀମାନେ ୭୫ ଲକ୍ଷ ଡଲାର ( ପ୍ରାୟ ୭୫ କୋଟି ୧୪ ଲକ୍ଷ ଟଙ୍କା) ଦାବି କରିଥିବା ଅଏଲ୍‌ ଇଣ୍ଡିଆର ଦୁଲିଆଜାନ୍‌ ମୁଖ୍ୟାଳୟ ଲୋକସମ୍ପର୍କ ଅଧିକାରୀ ତ୍ରିଦୀପ ହଜାରିକା ସୂଚନା ଦେଇଛନ୍ତି। ଏହି ସଙ୍କଟ ଦୂର କରିବା ପାଇଁ ଅନ୍ତର୍ଜାତୀୟ ସିକ୍ୟୁରିଟି ଏକ୍ସପର୍ଟମାନଙ୍କ ସହାୟତା ଲୋଡ଼ାଯାଇଥିବା ସେ କହିଛନ୍ତି। ଏନେଇ ଦୁଲିଆଜାନ୍‌ ଥାନାରେ ଏତଲା ଦିଆଯାଇଛି। ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଏବଂ ଭାରତୀୟ ପିଙ୍ଗଳ କୋଡ୍‌ ଦଫା ୩୮୫ ବଳରେ ମାମଲା ରୁଜୁ କରାଯାଇଛି। ଦିବ୍ରୁଗଡ଼ ଏସ୍‌ପି ଶ୍ୱେତାଙ୍କ ମିଶ୍ର କହିଛନ୍ତି, ହ୍ୟାକର୍ସମାନେ ୧୯୬ ବିଟ୍‌କଏନ୍‌ ରାନ୍‌ସମ୍‌ ଦାବି କରିଛନ୍ତି। ଏହା ଏକ ରାନ୍‌ସମ୍‌ଓ୍ବେର୍‌ ଆକ୍ରମଣ। ଡାଟା କେତେ ପ୍ରଭାବିତ ହୋଇଛି ସେନେଇ ତଦନ୍ତ ଜାରି ରହିଛି।
ଡ୍ରିଲିଂ ଓ ଅନ୍ୟ କାର୍ଯ୍ୟଗୁଡ଼ିକ ସ୍ବାଭାବିକ ଭାବେ ଚାଲୁରହିଥିଲେ ହେଁ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧୀନ ଦେଶର ଦ୍ୱିତୀୟ ତୈଳ ଉତ୍ପାଦନକାରୀ ସରକାରୀ କମ୍ପାନୀ ଉପରେ ଏହି ସାଇବର ଆଟାକ୍‌ ଅନେକ ପ୍ରଶ୍ନ ଛିଡ଼ା କରାଇଛି। ବିଶ୍ୱର ପାଓ୍ବାର କମ୍ପାନୀଗୁଡ଼ିକ ଉପରେ ହ୍ୟାକର୍ସଙ୍କ ସାଇବର ଆକ୍ରମଣ ଚିନ୍ତା ବୃଦ୍ଧିର କାରଣ ସାଜିଥିବାବେଳେ ଏହି ଘଟଣା ସାମ୍ନାକୁ ଆସିଛି। ସାଇବର ଆକ୍ରମଣ ହେଉଛି ସାଇବର ଅପରାଧୀଙ୍କ ଦ୍ୱାରା ଏକ କିମ୍ବା ଏକାଧିକ କମ୍ପ୍ୟୁଟର ଜରିଆରେ ନେଟ୍‌ଓ୍ବର୍କକୁ ଟାର୍ଗେଟ କରାଯିବା। ଏହାଦ୍ୱାରା କମ୍ପ୍ୟୁଟରଗୁଡ଼ିକ ଅଚଳ ହୋଇଯାଏ। ସେଥିରେ ଥିବା ତଥ୍ୟଗୁଡ଼ିକୁ ଚୋରି କରି ବ୍ୟବହାର କରାଯାଇଥାଏ।

Share