Categories: ଖେଳ

ସାଇବର କ୍ରାଇମ୍‌: ଆଇସିସି ହରାଇଛି ୨.୫ ନିୟୁତ ଡଲାର

ନୂଆଦିଲ୍ଲୀ, ୨୧।୧ (ପି.ଟି.): ସାଇବର କ୍ରାଇମ୍‌ର ଶିକାର ହୋଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପାଖାପାଖି ୨.୫ ନିୟୁତ ଆମେରିକୀୟ ଡଲାର ହରାଇଛି। ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଗତବର୍ଷ ଏହି ଘଟଣା ଘଟିଛି। ଆର୍ଥିକ ଘୋଟାଲା କରିବା ଲାଗି ଠକମାନଙ୍କ ଦ୍ୱାରା ବ୍ୟବହୃତ ମାର୍ଗ ହେଉଛି ବିଜନେସ ଇ-ମେଲ୍‌ କମ୍ପ୍ରୋମାଇଜ୍‌ (ବିଇସି)। ଏହାକୁ ଇ-ମେଲ ଆକାଉଣ୍ଟ କମ୍ପ୍ରୋମାଇଜ୍‌ ବୋଲି ମଧ୍ୟ କୁହାଯାଇଥାଏ। ଅନ୍‌ଲାଇନରେ ଏହାକୁ ଅନ୍ୟତମ ବଡ଼ ଆର୍ଥିକ ଅପରାଧ ବୋଲି କହିଛି ଫେଡେରାଲେ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ)। ଏହା ଆମେରିକାରୁ ସଂଗଠିତ ହୋଇଛି। ଏହି ସ୍କାମ୍‌ କିପରି ଘଟିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ଆଇସିସି ପକ୍ଷରୁ ଇତିମଧ୍ୟରେ ଏନେଇ ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇଛି। ଠକମାନେ କେଉଁ ସୂତ୍ରରେ ଆଇସିସି ଆକାଉଣ୍ଟରୁ ଅର୍ଥ ଟ୍ରାନ୍ସଫର କଲେ ତାହା ଜଣାପଡ଼ି ନାହିଁ। ସେମାନଙ୍କର ହୁଏତ ଦୁବାଇସ୍ଥିତ ମୁଖ୍ୟ କାର୍ଯ୍ୟାଳୟର କାହା ସହିତ ସିଧାସଳଖ ସମ୍ପର୍କ ଥାଇପାରେ ସେମାନେ ଆଇସିସି ଭେଣ୍ଡର କିମ୍ବା ପରାମର୍ଶଦାତାଙ୍କ ସହାୟତା ନେଇ ପାରିଥାନ୍ତି ବୋଲି ଅନୁମାନ କରାଯାଉଛି। ଏହି କାରବାର ଏକ ସିଙ୍ଗଲ ପେମେଣ୍ଟ କିମ୍ବା ଏକାଧିକ ଓୟାର ଟ୍ରାନ୍ସଫର ଦ୍ୱାରା ହୋଇଛି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ।

Share