ସଚେତନତା ସତ୍ତ୍ୱେ ବଢୁଛି ସାଇବର ଅପରାଧ

ଭୁବନେଶ୍ୱର,୪।୩(ବ୍ୟୁରୋ): ଦିନକୁ ଦିନ ସାଇବର ଠକଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ସରକାର ଏବଂ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ସାଇବର ଠକଙ୍କ ଜାଲରେ ପଡ଼ି ସେମାନେ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି। ଗତ ଜାନୁୟାରୀ ମାସରେ ରାଜଧାନୀରୁ ୧ କୋଟି ୩୧ ଲକ୍ଷ ୨୫ ହଜାର ୩୦ ଟଙ୍କା ଠକେଇ ହୋଇଥିବାବେଳେ ଫେବୃୟାରୀରେ ଠକେଇର ପରିମାଣ ବଢ଼ିଛି ଥିବା ଜଣାପଡ଼ିଛି। ଭୁବନେଶ୍ୱର ସାଇବର୍‌ କ୍ରାଇମ ହେଲ୍ପ ଡେସ୍କ ପକ୍ଷରୁ ଗୁରୁବାର ମିଳିଥିବା ରିପୋର୍ଟ ଅନୁସାରେ ଫେବୃୟାରୀରେ ଭୁବନେଶ୍ୱରରୁ ସାଇବର ଠକମାନେ ୧ କୋଟି ୩୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି। ହେଲ୍ପ ଡେସ୍କ ଓ ଅର୍ଥନୈତିକ ଅପରାଧ ଥାନାର ମିଳିତ ଉଦ୍ୟମରେ ଜାନୁୟାରୀରେ ଠକେଇ ହୋଇଥିବା ଟଙ୍କାରୁ ମାତ୍ର ଅଳ୍ପ ଟଙ୍କା ଫେରାଇ ଅଣାଯାଇ ପାରିଛି।
ରିପୋର୍ଟ ଅନୁଯାୟୀ, ଫେବୃୟାରୀରେ ହେଲ୍ପ ଡେସ୍କକୁ ସାରା ଓଡ଼ିଶାରୁ ୨୮୮ କଲ୍‌ ଆସିଛି। ସେଥିମଧ୍ୟରୁ ଭୁବନେଶ୍ୱରରୁ କେବଳ ୨୫୪ ହୋଇଥିବାବେଳେ ରାଜ୍ୟର ଅନ୍ୟାନ୍ୟ ଜିଲାରୁ ୩୪ ଅଭିଯୋଗ ଆସିଛି। କେବଳ ଭୁବନେଶ୍ୱରରୁ ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଠକେଇ ସମ୍ପର୍କୀୟ ୯୪ ଅଭିଯୋଗ, କ୍ରେଡିଟ କାର୍ଡ/ ଡେବିଟ୍‌ କାର୍ଡ ଦ୍ୱାରା ୯୭ ଏବଂ ଅନ୍ୟାନ୍ୟ ଠକେଇ ସମ୍ବନ୍ଧୀୟ ୬୩ କଲ୍‌ ଆସିଛି। ଭୁବନେଶ୍ୱରରୁ ସାଇବର ଠକମାନେ ୧ କୋଟି ୩୯ ଲକ୍ଷ ୬୦ହଜାର ୪୭୯ ଟଙ୍କା ଲୁଟିଥିବାବେଳେ ହେଲ୍ପ ଡେସ୍କ ଓ ସାଇବର ଥାନା ପକ୍ଷରୁ ମାତ୍ର ୧୦ଲକ୍ଷ ୫୨ ହଜାର ୮୦୨ ଟଙ୍କା ଉଦ୍ଧାର କରାଯାଇଛି। ସେହିପରି ଠକେଇ ହୋଇଥିବା ୧୨ଲକ୍ଷ ୭୩ ହଜାର ୪୮୩ ଟଙ୍କା ବ୍ଲକ କରାଯାଇଥିବାବେଳେ ସାଇବର ସୁରକ୍ଷା ପୋର୍ଟାଲ ଦ୍ୱାରା ୬୪ଟି ନମ୍ବରକୁ ବ୍ଲକ କରାଯାଇଛି। ଏନେଇ ସାଇବର କ୍ରାଇମ୍‌ ଓ ଅର୍ଥନୈତିକ ଅପରାଧ ଥାନାରେ ୬ଟି ମାମଲା ରୁଜୁ କରାଯାଇଛି। ଏହିକ୍ରମରେ ୩ଜଣ ଅଭିଯୋଗକାରୀଙ୍କ ଠକେଇ ହୋଇଥିବା ୧ଲକ୍ଷ ୧୫ହଜାର ୨୬୫ ଟଙ୍କା, ୧ ଲକ୍ଷ ୧୫ହଜାର ୫୦୦ ଟଙ୍କା ଓ ୧ ଲକ୍ଷ ଟଙ୍କା ଲେଖାଏ ଫେରସ୍ତ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share