Categories: ଖେଳ

ବର୍ଲିନରେ ଓଡ଼ିଆ ଝିଅଙ୍କ ଚମକ

ଭୁବନେଶ୍ୱର, ୨୩।୬ (ତପନ ସ୍ବାଇଁ): ଜର୍ମାନୀର ବର୍ଲିନଠାରେ ଚାଲିଥିବା ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଚମକ ଦେଖାଇଛନ୍ତି ଓଡ଼ିଶାର ପ୍ରତିଭାସମ୍ପନ୍ନ ସାଇକ୍ଲିଷ୍ଟ କଳ୍ପନା ଜେନା। ସେ ସାଇକ୍ଲିଂର ୨ କିଲୋମିଟର ଟାଇମ୍‌ ଟ୍ରାଏଲ୍‌ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। କଳ୍ପନା ୫:୪୨.୪୨ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଅନ୍ୟତମ ଭାରତୀୟ ସାଇକ୍ଲିଷ୍ଟ ଶିବାନୀ ୫:୨୨.୪୧ ସେକେଣ୍ଡ ସହ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। କୋଷ୍ଟାରିକାର ଆନା ଜୁମ୍ବାଡୋ ୫:୪୬.୬୩ ସେକେଣ୍ଡ ସହିତ ବ୍ରୋଞ୍ଜ ପଦକ ପାଇଛନ୍ତି।
ଆଠଗଡ଼ ବ୍ଲକ ରେଗେଡ଼ାପଡ଼ା ଗ୍ରାମର ଏକ ଆର୍ଥିକ ଦୁର୍ବଳ ଶ୍ରେଣୀ ପରିବାରରୁ କଳ୍ପନା ଆସିଛନ୍ତି। ତାଙ୍କ ମା’ ଗୀତାଞ୍ଜଳି ଜେନା ଓ ବାପା ଗଦାଧର ଜେନା କୃଷି ଶ୍ରମିକଭାବେ କାର୍ଯ୍ୟ କରନ୍ତି। ୨୦୧୯ ପ୍ରାରମ୍ଭରୁ କଳ୍ପନା ବ୍ୟାଡ୍‌ମିଣ୍ଟନ, ଆଥ୍‌ଲେଟିକ୍ସ ଓ ଫୁଟ୍‌ବଲରେ ଟ୍ରେନିଂ ନେଉଛନ୍ତି। ତାଙ୍କ ସାଇକ୍ଲିଂ ପ୍ରତିଭାକୁ ଚିହ୍ନିଥିଲେ ଏକାଧିକ ଥର ଜାତୀୟ ସାଇକ୍ଲିଂ ଚାମ୍ପିୟନ ଝାଡ଼ଖଣ୍ଡର ସତବୀର ସିଂ ସହୋତା। କଳ୍ପନା ଓ୍ବାଲର୍‌ଡ ଗେମ୍ସ ପାଇଁ ଚୟନ ହେବା ପୂର୍ବରୁ ବିବେକାନନ୍ଦ ମହାନ୍ତିଙ୍କଠାରୁ କୋଚିଂ ନେଉଥିଲେ। କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଭ୍ୟାସ ପାଇଁ ତାଙ୍କୁ ଏକ ରେସିଂ ସାଇକେଲ ଉପହାର ସ୍ବରୂପ ଦେଇଥିଲେ। ଏହା ବେଶ୍‌ ଫଳପ୍ରଦ ହୋଇଥିଲା। ଓ୍ବାଲର୍‌ଡ ଗେମ୍ସକୁ ଯିବା ପୂର୍ବରୁ ସେ ୯ ଥର ଜାତୀୟ ସାଇକ୍ଲିଂ ଚାମ୍ପିୟନ ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ମୀନତି ମହାପାତ୍ରଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ଓ୍ବାଲର୍‌ଡ ଗେମ୍ସରେ ରୌପ୍ୟ ପଦକ ଜିତିଥିବାରୁ ତାଙ୍କ ପ୍ରତି ଅଭିନନ୍ଦନର ସୁଅ ଛୁଟିଛି। ଏସ୍‌ଓବି-ଓଡ଼ିଶା ସଭାପତି କସ୍ତୁରୀ ମହାପାତ୍ର, ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ଅର୍ପିତା ମହାପାତ୍ର, ବିଆର୍‌ଏମ୍‌-ଆଶାର ଉପସଭାପତି ପ୍ରଦୀପ୍ତ ରଥ, ଅନ୍ତର୍ଜାତୀୟ ଦୃଷ୍ଟିବାଧିତ କ୍ରିକେଟର ମହମ୍ମଦ ଜାଫର ଇକବାଲ, କିଟ୍‌ ଓ କିସ୍‌ର କ୍ରୀଡ଼ା ମହାସଚିବ ଗଗନେନ୍ଦୁ ଦାଶ, ଏସ୍‌ଓବି-ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ ରଥ ପ୍ରମୁଖ କଳ୍ପନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share