Categories: ଜାତୀୟ

ପୁଣି ବାତ୍ୟା ଆଶଙ୍କା, ‘ଗୁଲାବ’ ପରେ ଏବେ ‘ଶାହିନ୍‌’ ଭୟ…

ନୂଆଦିଲ୍ଲୀ,୨୮।୯: ସାମୁଦ୍ରିକ ଝଡ଼ ଗୁଲାବ ଏବେ ଉତ୍ତର ତେଲେଙ୍ଗାନା ଏବଂ ବିଦର୍ଭ ଉପରେ ଦେଇ ଅତିକ୍ରମ କରିବା ସହିତ ଦୁର୍ବଳ ହୋଇସାରିଛି। ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ମଙ୍ଗଳବାର ସକାଳେ ତେଲେଙ୍ଗାନା ଏବଂ ମରାଠୱାଡା ଏବଂ ବିଦର୍ଭ ଅଞ୍ଚଳରେ ପ୍ରବେଶ କରିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ନିମ୍ନ-ଚାପ ଅଞ୍ଚଳରେ ଗୁଲାବ ଦୁର୍ବଳ ହେବାରେ ଲାଗିଛି।

ତେବେ ଗୁଲାବ ନ ଯାଉଣୁ ପୁଣି ଏକ ସାମୁଦ୍ରିକ ଝଡ଼ ଶାହିନ୍‌ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସାମୁଦ୍ରିକ ଝଡ଼ ଶାହିନ୍‌ ସେପ୍ଟେମ୍ବର ୩୦ ସନ୍ଧ୍ୟାରେ ଉତ୍ତର-ପୂର୍ବ ଆରବ ସାଗର ଏବଂ ଗୁଜୁରାଟ ଉପକୂଳରେ ଘନିଭୂତ ହେବାର ପୂର୍ବାନୁମାନ କରାଯାଇଛି। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପୂର୍ବ ଆରବ ସାଗରରେ ଏହା ଅଧିକ ଉଗ୍ର ରୂପ ଧାରଣ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ମିଆଁମାର ଉପକୂଳରୁ ପୂର୍ବ-କେନ୍ଦ୍ରୀୟ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ‘ଶାହିନ୍‌’ ସୃଷ୍ଟି ହେବାର ପ୍ରକ୍ରିୟା ଜାରି ରହିଛି। ଏହି ଅଞ୍ଚଳ ଉତ୍ତର-ପୂର୍ବ ଏବଂ ବଙ୍ଗୋପସାଗରର ପୂର୍ବ-ମଧ୍ୟଭାଗରେ ଅବସ୍ଥିତ। ଏହାର ପ୍ରଭାବରେ, ପଶ୍ଚିମବଙ୍ଗଠାରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏବଂ ବାଂଲାଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏକ ନିମ୍ନ-ଚାପ ଅଞ୍ଚଳ ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆସନ୍ତା ଦୁଇ ଦିନ ମଧ୍ୟରେ ପଶ୍ଚିମ ଉପକୂଳରେ ପବନ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ଦୁଇ ତିନି ଦିନ ପାଇଁ ଗୁଜୁରାଟ, ମଧ୍ୟପ୍ରଦେଶ ମହାରାଷ୍ଟ୍ର, କୋଙ୍କଣ, ମରାଠୱାଡା,ସୌରାଷ୍ଟ୍ର ଏବଂ କୁଚ ଆଦି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଝାଡଖଣ୍ଡ, ଗାଙ୍ଗେଟିକ ପଶ୍ଚିମବଙ୍ଗ, ଓଡିଶା, ତାମିଲନାଡୁ, ପୁଡୁଚେରୀ ଏବଂ କରାଇକାଲର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଗାମୀ ୨ରୁ ୩ ଦିନ ମଧ୍ୟ ହେବାର ସମ୍ଭାବନା ରହିଛି।

Share