Categories: ଜାତୀୟ

ଗୁଜରାଟରେ ତାଣ୍ଡବ ରଚିବା ପରେ ‘ବିପର୍ଯ୍ୟୟ’କୁ ନେଇ ରାଜସ୍ଥାନରେ ଆଲର୍ଟ

ନୂଆଦିଲ୍ଲୀ,୧୬।୬: ଗୁଜରାଟର ଅନେକ ଅଞ୍ଚଳରେ ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ଯ୍ୟୟ’ ପ୍ରଭାବ ଦେଖିବାକୁ ମିଳୁଛି। ପ୍ରବଳ ପବନରେ ବର୍ଷା ହେଉଛି। ବାତ୍ୟା ଯୋଗୁଁ ଅନେକ ଗଛ ଓ ଖମ୍ବ ଭାଙ୍ଗି ପଡିଛି। ଅନେକ ଅଞ୍ଚଳରେ ବିଜୁଳି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଗୁରୁବାର ସାରେ ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ କରିଥିଲା। ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଏନଡିଆରଏଫ, ଏସଡିଆରଏଫ ର ଅନେକ ଦଳ ନିୟୋଜିତ ହୋଇଛନ୍ତି ।

ସୂଚନାଯୋଗ୍ୟ, ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ଯ୍ୟୟ’ଆରବ ସାଗରରେ ୧୦ଦିନ ପୂର୍ବରୁ ଘନିଭୂତ ହୋଇଥିବା ବେଳେ ଗୁରୁବାର ସାରେ ଗୁଜୁରାଟର କଚ୍ଛ ସ୍ଥିତ ଜାଖାଉ ବନ୍ଦରରେ ପହଞ୍ଚିଥିଲା। ବିପର୍ଯ୍ୟୟ କାରଣରୁ ଗୁଜରାଟର ଅନେକ ଜିଲ୍ଲାରେ ପ୍ରବଳ ପବନ ବହିବା ସହ ବର୍ଷା ହେଉଛି। କଚ୍ଛ ଏବଂ ସୌରାଷ୍ଟ୍ରର ଉପକୂଳ ଅଧିକ ପ୍ରଭାବିତ ହୋଇଛି। ପ୍ରବଳ ପବନ ହେତୁ ଜାଖା ଏବଂ ମାଣ୍ଡଭିରେ ଅନେକ ଗଛ, ହୋର୍ଡିଂ ଏବଂ ଇଲେକ୍ଟ୍ରିକ ପୋଲ ଉପୁଡ଼ି ଯାଇଛି।
ଜୁନ ୬ରେ ଦକ୍ଷିଣ-ମଧ୍ୟ ଆରବ ସାଗରରୁ ସୃଷ୍ଟି ହୋଇଥିବା ସାଇକ୍ଲୋନିକ ଷ୍ଟର୍ମ ବିପର୍ଯ୍ୟୟ ୧୬ଜୁନରେ ଗୁଜରାଟର୯୪୦ ଗାଁ ଦେଇ ରାଜସ୍ଥାନ ଆଡକୁ ଗତି କରୁଛି। ପାଣିପାଗ ବିଭାଗ ଅନୁଯାୟୀ, ବିପର୍ଯ୍ୟୟ କାରଣରୁ ଦେଶର ଅନେକ ରାଜ୍ୟର ପାଗ ପ୍ରଭାବିତ ହୋଇଛି। ଆଗାମୀ ଦିନରେ ରାଜସ୍ଥାନ, ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ମଧ୍ୟ ବର୍ଷା ହେବ। ପାଣିପାଗ ପୂର୍ବାନୁମାନ ଏଜେନ୍ସି ସ୍କାଏମେଟ କହିଛି ଯେ ଲ୍ୟାଣ୍ଡଫଲ ହେତୁ ଆସନ୍ତା ଚାରି ଦିନ ମଧ୍ୟରେ ଏହି ରାଜ୍ୟଗୁଡିକରେ ପ୍ରବଳ ବର୍ଷା ହେବ।

Share