Categories: ଜାତୀୟ

ବାତ୍ୟା ‘ବିପର୍ଯ୍ୟୟ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ/ଗାନ୍ଧୀନଗର,୧୫।୬: ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ର ଗୁରୁବାର ସନ୍ଧ୍ୟାରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସନ୍ଧ୍ୟା ପ୍ରାୟ ୬.୪୫ ମିନିଟରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ମଧ୍ୟରାତ୍ର ଯାଏ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ବର୍ତ୍ତମାନ ବାତ୍ୟା ‘ବିପର୍ଯ୍ୟୟ’ ପ୍ରଭାବରେ ପବନର ଘଣ୍ଟା ପ୍ରତି ବେଗ କ୍ରମଶଃ ବଢୁଥିବାବେଳେ ଏହା ୧୨୦ରୁ ୧୪୦ କି.ମି ହେବ ବୋଲି ଆକଳନ କରାଯାଉଛି। ବାତ୍ୟାର ଆଖି ଏବେ ଧୀରେ ଧୀରେ ସ୍ଥଳ ଭାଗ ଆଡକୁ ଆସୁଛି। ସ୍ଥଳଭାଗ ଅତିକ୍ରମ କରିବାକୁ ପ୍ରାୟ ୫ ଘଣ୍ଟା ଲାଗିବ। ବାତ୍ୟା ସ୍ଥଳଭାଗକୁ ଯେତିକି ଅତିକ୍ରମ କରିବ ସେତିକି ପରିମାଣରେ ବର୍ଷା, ପବନ ବଢିବ। ବାତ୍ୟା ବିପର୍ଯ୍ୟୟ ସୌରାଷ୍ଟ୍ର ଓ କଚ୍ଛ ସହ ସମାନ୍ତରାଳ ଭାବେ ପାକିସ୍ତାନ ଉପକୂଳ ଦେଇ ଜଖୌ ପୋର୍ଟ ଅତିକ୍ରମ କରିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ସମୟରେ ବିଭିନ୍ନ ସ୍ଥାନରେ ଗଛ ଉପୁଡିବା ଆରମ୍ଭ ହୋଇଥିବା ବେଳେ ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଭାଙ୍ଗିଥିବା ସୂଚନା ମିଳିଛି। ବାତ୍ୟାକୁ ଦୃଷ୍ଟିରେ ରଖି ଉପକୂଳ ଅଞ୍ଚଳରୁ ୧ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହାର ମୁକାବିଲା ପାଇଁ ନୌସେନା, ଆର୍ମି ଓ ବାୟୁସେନା ଆଲର୍ଟରେ ରହିଛନ୍ତି।

Share