ଆସୁଛି ବାତ୍ୟା, ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ତୋରଣ ଖୋଲିବାକୁ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା,୨୨ା୧୦: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି। ବାତ୍ୟା ସମୟରେ ହେବାକୁ ଥିବା ଦ୍ରୁତ ପବନକୁ ନଜରରେ ରଖି ଢେଙ୍କାନାଳ ଏବଂ କେନ୍ଦ୍ରାପଡା ଲକ୍ଷ୍ମୀପୂଜା କମିଟି ମାନଙ୍କୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ତୋରଣମାନ ଖୋଲିବାକୁ କୁହାଯାଇଛି। ସେହିପରି କେନ୍ଦ୍ରାପଡ଼ାରେ ୨୩ ତାରିଖ ସୁଦ୍ଧା ବିସର୍ଜନ ସାରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଜିଲା ପ୍ରଶାସନ ଏବଂ ପୂଜା ଅନୁଷ୍ଠାନ ମଧ୍ୟରେ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଢେଙ୍କାନାଳରେ ଲକ୍ଷ୍ମୀପୂଜା ପାଇଁ ବାହାରୁ ଆସିଥିବା ବ୍ୟବସାୟୀ ମାନଙ୍କୁ ମଧ୍ୟ ନିଜ ଘରକୁ ଫେରିଯିବାକୁ କୁହାଯାଇଛି।

ବଙ୍ଗୋପସାଗରରେ ସକ୍ରିୟ ଅବପାତ ବର୍ତ୍ତମାନ ଦକ୍ଷିଣପୂର୍ବ ଦିଗରେ ପାରାଦ୍ୱୀପ ଠାରୁ ୭୦୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଆସନ୍ତା କାଲି ୨୩ତାରିଖ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ଗୋଟିଏ ବାତ୍ୟାରେ ରୂପ ନେବାର ସମ୍ଭାବନା ରହିଛି।

ସେପଟେ ବାତ୍ୟା ଯୋଗୁଁ ସବୁ ଡାକ୍ତରଙ୍କ ଛୁଟି ବାତିଲ କରାଯାଇଛି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଡାଇରିଆ ଓ ସର୍ପାଘାତ ଔଷଧ ସବୁ ମେଡିକାଲରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ହସ୍ପିଟାଲରେ ୨୪ ଘଣ୍ଟିଆ ପାଓ୍ୱାର ବ୍ୟାକ୍ ଅପ୍ ରଖିବାକୁ କୁହାଯାଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଟିମ୍ ପଠାଯାଇ ସେବା ଦିଆଯିବ। ସରକାର ରାଜ୍ୟ ଓ ବ୍ଲକସ୍ତରରେ କଣ୍ଟ୍ରୋଲ ରୁମ୍ କରି ମନିଟର କରୁଥିବା ବେଳେ ସୋମବାର ଠାରୁ ଗର୍ଭବତୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି।

Share