ଭୁବନେଶ୍ୱର,୨୧ା୧୦: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’ ଓଡ଼ିଶାରେ ସ୍ଥଳଭାଗ ଛୁଇଁବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟାର ଗତିପଥ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ ଟ୍ରାକ୍ ଜାରି କରିଛି।
ଆଇଏମଡି ଅନୁଯାୟୀ ୨୨ ଅକ୍ଟୋବର ସକାଳ ସୁଦ୍ଧା ଅବପାତ ଏବଂ ୨୩ ଅକ୍ଟୋବର ସୁଦ୍ଧା ବଙ୍ଗୋପସାଗରର ପୂର୍ବ ସେଣ୍ଟ୍ରାଲ୍ ଉପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଏହା ପରେ, ୨୪ ଅକ୍ଟୋବର ସକାଳ ସୁଦ୍ଧା ଉତ୍ତର-ପଶ୍ଚିମ ଦିଗକୁ ଯାଇ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଦିଗରେ ଯାଇ ବାଲେଶ୍ୱର ଏବଂ ସାଗର ଆଇଲାଣ୍ଡ ମଧ୍ୟରେ ସ୍ଥଳଭାଗ ଛୁଇଁବ।
ସ୍ଥଳଭାଗ ଛୁଇଁବା ସମୟରେ ବାତ୍ୟା ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ରହିପାରେ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବ ବୋଲି ପାଣିପାଗ ବିଭାଗ କହିଛି।
ବାତ୍ୟା ପ୍ରଭାବରେ ୨୩, ୨୪, ୨୫ରେ ତିନି ଧରି ଅଧିକାଂଶ ସ୍ଥାନରେ ବର୍ଷା ହେବ l ବାତ୍ୟାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି ଜିଲାରେ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଇଛି । ଏହି ସମୟରେ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ୩୦ରୁ ସେମିରୁ ଊର୍ଦ୍ଧ୍ବ ବର୍ଷା ସମ୍ଭାବନା ମଧ୍ୟ ରହିଛିl ବିଶେଷ କରି ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲାରେ ଅଧିକ ବର୍ଷା ହେବ ।