ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ବଢ଼ିବାରେ ଲାଗିଛି ବାତ୍ୟା ଭୟ। ଅକ୍ଟୋବର ୨୪ରୁ ୨୬ ମଧ୍ୟରେ ବାତ୍ୟା ଉତ୍ତର ଓଡ଼ିଶା, ପାରାଦୀପ କିମ୍ବା ପୁରୀଠାରେ ପିଟି ହେବା ନେଇ ଆଶଙ୍କା ବଢ଼ିବାରେ ଲାଗିଛି। ଅନ୍ତର୍ଜାତୀୟ ପାଣିପାଗ ମଡେଲ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ୍(ଜିଏଫ୍ଏସ୍) ସୂଚନା ଅନୁଯାୟୀ , ଆସନ୍ତା ୧୭ରୁ ୧୮ ମଧ୍ୟରେ ଆଣ୍ଡାମାନ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୧୯ କିମ୍ବା ୨୦ ତାରିଖରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଲଘୁଚାପ ଧୀରେ ଧୀରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ୨୨ ଓ ୨୩ ତାରିଖ ବେଳକୁ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ବାତ୍ୟା ରୂପ ନେଇପାରେ। ସମୁଦ୍ରରେ ରହି ଏହା ୨ ଦିନ ଆହୁରି ଶକ୍ତିଶାଳୀ ହେବ। ଅକ୍ଟୋବର ୨୪ କିମ୍ବା ୨୬ ତାରିଖରେ ଏହା ଉତ୍ତର ପୂର୍ବ ଦିଗକୁ ଗତି କରି ଉତ୍ତର ଓଡ଼ିଶା କିମ୍ବା ପାରାଦୀପ ଓ ପୁରୀ ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଆସନ୍ତା ୪/୫ ଦିନ ପରେ ଏ ନେଇ ଚିତ୍ର ସ୍ପଷ୍ଟ ହୋଇଯିବ। ତେବେ ବାତ୍ୟାର ରୂପରେଖ ନେଇ ଏ ପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ବିଭିନ୍ନ ପାଣିପାଗ ମଡେଲ ଆକଳନ ଯଦି ଠିକ୍ ହୁଏ ତେବେ ଓଡ଼ିଶା ଆଉ ଏକ ବାତ୍ୟା ବିପର୍ଯ୍ୟୟର ସମ୍ମୁଖୀନ ହେବ।