Categories: ଜାତୀୟ

ବୁଧବାର ବାଂଲାଦେଶରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ହାମୁନ’: ୭ ରାଜ୍ୟରେ ବର୍ଷା ସତର୍କ

ନୂଆଦିଲ୍ଲୀ,୨୪।୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଗଭୀର ଅବପାତ ରୂପ ନେଇ ଭୟଙ୍କର ସାଇକ୍ଲୋନିକ ଝଡ଼ରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦିଆଯାଇଛି। ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗରେ ଗତି କରୁଛି । ଏହା କ୍ରମଶଃ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ୨୫ ତାରିଖ ବୁଧବାର ସକାଳ ସାଢେ ୫ଟାରେ ବାଂଲାଦେଶର ଖେପୁପାରା ଓ ଚିଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବ। ବେଳେବେଳେ ୭୦ କିଲୋମିଟର ବେଗରେ ବୋହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି। ବାତ୍ୟା ହାମୁନ ଭାରତୀୟ ଉପକୂଳ ସହ ସମାନ୍ତରାଳ ଗତିରେ ସମୁଦ୍ର ମଧ୍ୟରେ ଗତି କରୁଥିବାରୁ ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଗାଙ୍ଗେୟ, ପଶ୍ଚିମବଙ୍ଗ ଅଞ୍ଚଳରେ ବର୍ଷା ହେବ। ତେବେ ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ଏନେଇ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ପଶ୍ଚିମବଙ୍ଗ, ଓଡ଼ିଶା, ମିଜୋରାମ ଏବଂ ମେଘାଳୟ ସମେତ ୭ଟି ରାଜ୍ୟରେ ପାଣିପାଗ ବିଭାଗ ବର୍ଷା ସତର୍କ ସୂଚନା ଜାରି କରିଛି।

Share