ବାତ୍ୟା: ୫ ଜିଲାରେ ଅତିପ୍ରବଳ ବର୍ଷା

ଭୁବନେଶ୍ୱର,୩।୧୨(ଅନିଲ ଦାସ)ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ(ଡିପ୍ରେସନ) ଶନିବାର ଗଭୀର ଅବପାତ(ଡିପ୍‌ ଡିପ୍ରେସନ)ରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୮କି.ମି. ବେଗରେ ଗତି କରୁଛି। ଗଭୀର ଅବପାତ ପୁଡୁଚେରିର ଦକ୍ଷିଣ-ପୂର୍ବ ଦିଗରେ ୪୦୦ କି.ମି., ନେଲୋରଠାରୁ ୫୦୦ କି.ମି. ଏବଂ ମଚ୍ଛଲିପଟନମ୍‌ଠାରୁ ୬୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ। ଏହା ପରେ ବାତ୍ୟା ୪ ତାରିଖ ଅପରାହ୍ନରେ ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ତାମିଲନାଡୁ କୂଳରେ ପହଞ୍ଚିବ। ୫ ତାରିଖ ପୂର୍ବାହ୍ନରେ ବାତ୍ୟା ଉତ୍ତର ଦିଗକୁ ଗତିକରି ଦକ୍ଷିଣ ଆନ୍ଧ୍ର ଉପକୂଳ ନେଲୋର ଏବଂ ମଚ୍ଛଲିପଟନମ୍‌ ଦେଇ ସ୍ଥଳଭାଗ ଅତିକ୍ରମ କରିପାରେ। ସ୍ଥଳଭାଗ ଛୁଇଁବା ବେଳକୁ ବାତ୍ୟାର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କି.ମି. ଓ ବେଳେ ବେଳେ ୧୦୦ କି.ମି. ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ବାତ୍ୟା ପ୍ରଭାବରେ ଆସନ୍ତା ୫ରୁ ୮ ତାରିଖ ଯାଏ ଦକ୍ଷିଣ, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ୫ ତାରିଖରେ ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲାରେ ଅତି ପ୍ରବଳ (୭ରୁ ୨୦ ସେ.ମି.) ବର୍ଷା ହୋଇପାରେ। ଏହି ସବୁ ଜିଲା ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହିତ ନବରଙ୍ଗପୁର, ନୟାଗଡ଼, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ୬ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ ରାୟଗଡ଼ା ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଏହିସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ବାତ୍ୟା ଯୋଗୁ ଉପକୂଳରେ ୫୦ରୁ ୬୦ କି.ମି. ବେଗରେ ପବନ ବହିପାରେ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ମତ୍ସ୍ୟଜୀବୀମାନଙ୍କୁ ଡିସେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲାର କୃଷି ଅଧିକାରୀମାନଙ୍କ ଛୁଟି ୨ରୁ ୬ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ସରକାର କୃଷକମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ଶନିବାର କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଅମଳ ଉପଯୋଗୀ ଧାନ, ମାଣ୍ଡିଆ ଓ କପା ଆଦି ଫସଲକୁ ଅମଳ କରି ଯଥାସମ୍ଭବ ସୁରକ୍ଷିତ ସ୍ଥାନରେ ସାଇତି ରଖିବା ପାଇଁ ପରାମର୍ଶ ଦିଆଯାଇଛି। ‘ଆମ କୃଷି’ ପଞ୍ଜୀକୃତ ଚାଷୀମାନଙ୍କୁ ଆଇଭିଆର୍‌ଏସ୍‌ରେ ବାର୍ତ୍ତା ପଠାଇ ସଚେତନ କରାଯାଇଛି। ଏହାଛଡ଼ା ବିଭିନ୍ନ ଜିଲାଗୁଡ଼ିକରେ ମାଇକ ଜରିଆରେ ବାର୍ତ୍ତା ପ୍ରଚାର କରାଯାଇ ଚାଷୀମାନଙ୍କୁ ସଚେତନ କରାଯାଉଛି।