ପୁଣି ରାଜ୍ୟକୁ ବାତ୍ୟା ଆଶଙ୍କା

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ଆସନ୍ତା ୨୯ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବଳୟ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ପୂର୍ବାନୁମାନ ଅନୁସାରେ, ଆସନ୍ତା ୪୮ଘଣ୍ଟା ଭିତରେ ଏହି ଲଘୁଚାପ ବଳୟ ଅଧିକ ସ୍ପଷ୍ଟ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଡିସେମ୍ବର ୩ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହେବ। ଏହାପରେ ୨୪ରୁ ୪୮ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି। ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ ବାଂଲାଦେଶରେ କ୍ଷୟକ୍ଷତି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା କରାଯାଇଛି। ଯଦି ଏହି ଲଘୁଚାପ ବାତ୍ୟାର ରୂପ ନିଏ, ତେବେ ତା’ର ନାଁ ‘ଜୱାଦ’ ରହିବ।
ବାତ୍ୟା ପ୍ରଭାବରେ ଡିସେମ୍ବର ୩ ତାରିଖରୁ ଓ ବର୍ଷା ଆରମ୍ଭ ହୋଇଯିବ। ୪ ତାରିଖ ସକାଳ ସୁଦ୍ଧା ଭୁବନେଶ୍ୱର ଓ କଟକରେ ମଧ୍ୟମରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ। ୪ ତାରିଖରେ ଅଧା ରାଜ୍ୟରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ମୟୂରଭଞ୍ଜ ଓ କେନ୍ଦୁଝରରେ ବି ବର୍ଷାର ଆଶଙ୍କା ରହିଛି। ପୁରୀରେ ସବୁଠାରୁ ଅଧିକ ବର୍ଷା ହୋଇପାରେ।

Share