ଜଗତ୍ସିଂହପୁର ଅଫିସ/ପାରାଦୀପ/ ଏରସମା/ତିର୍ତ୍ତୋଲ/ରଘୁନାଥପୁର/ ନାଉଗାଁ,୬ା୧୨(ସ୍ବ.ପ୍ର./ଡି.ଏନ୍.ଏ.): ବାତ୍ୟା ‘ଜୱାଦ’ ପ୍ରଭାବରେ ଜଗତ୍ସିଂହପୁର ଜିଲାରେ ହାରାହାରି ବର୍ଷା ୧୧୪.୩୭୫ ମିଲିମିଟର ରେକର୍ଡ ହୋଇଛି। ଅପରାହ୍ନ ୪ଟା ମଧ୍ୟରେ ଜଗତ୍ସିଂହପୁର ପୌରାଞ୍ଚଳର ଓ ବ୍ଲକ ଅଞ୍ଚଳରେ ୭୧ ମିମି, ବିରିଡ଼ି ୧୯, ରଘୁନାଥପୁର ୮୫, ବାଲିକୁଦା ୧୪୫, ନାଉଗାଁ ୧୨୯, ତିର୍ତ୍ତୋଲ ୧୦୦, କୁଜଙ୍ଗ ୧୩୬, ଏରସମାରେ ୨୨୦ ଏହିପରି ମୋଟ ୯୧୫ ମିମି ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁ ଜିଲାରେ ଧାନ, ଡାଲିଜାତୀୟ ଫସଲ ଓ ପନପରିବା କ୍ଷତିଗ୍ରସ୍ତ ହୋଇଛି। ୨ରୁ ୩ ଦିନ ମଧ୍ୟରେ ବିଲରୁ ବର୍ଷା ଜଳ ନିଷ୍କାସନ ନ ହେଲେ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି। ଲଗାଣ ବର୍ଷା ଯୋଗୁ ପାରାଦୀପ, ଏରସମା ଓ ଏହାର ଆଖପାଖ ଅଞ୍ଚଳର ଅବସ୍ଥା ବେହାଲ ହୋଇଛି। ଧାନ କିଆରିରେ ପାଣି ଜମିଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ଏରସମାର ଚାଷୀ ବଂଶୀଧର ବେହେରା, ଅମୂଲ୍ୟ ମହାନ୍ତି, ପ୍ରସନ୍ନ କୁଅଁର, ନିକୁଞ୍ଜ କିଶୋର ସ୍ବାଇଁ, ରଞ୍ଜନ ଖଣ୍ଡୁଆଳ ପ୍ରମୁଖ କ୍ଷତିପୂରଣ ଦାବି କରିଛନ୍ତି। ତିର୍ତ୍ତୋଲ ବ୍ଲକରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ହଁସୁଆ, ବୃଦ୍ଧା, ଧନୁଆ, ଅଶୃଙ୍ଖଳା ସଫେଇରେ ବର୍ଷାଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଥିବାରୁ ଉଭୟ ପାର୍ଶ୍ୱରେ ଥିବା ଚାଷ ଜମିଗୁଡ଼ିକରେ ପାଣି ଜମି ରହିଛି।
ରଘୁନାଥପୁର ବ୍ଲକର ଅନେକ ଚାଷ ଜମିରେ ପାଚିଲା ଧାନ ଶୋଇଯାଇଥିବା ବେଳ ଏହା ଉପରେ ଏକ ଫୁଟ ଉଚ୍ଚର ପାଣି ଲହଡି ମାରୁଛି। ବର୍ଷାଯୋଗୁ ବ୍ଲକର ସମସ୍ତ ପଞ୍ଚାୟତରେ ଧାନ ଓ ପରିବା ଚାଷ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି। ନାଉଗଁା ବ୍ଲକରେ ଚଳିତ ବର୍ଷ ୭ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଖରିଫ ଧାନ ଚାଷ ହୋଇଥିଲା। ଧାର କରଜ କରି ଚାଷୀ ଅମଳକୁ ଜଗିଥିବା ବେଳେ ବାତ୍ୟା ‘ଜଓ୍ବାଦ’ ଦାଉ ସାଧିଛି। ଚାଷ ଜମିରେ ପାଣି ଜମିଥିବାରୁ ପାଚିଲା ଧାନ ଗଜା ହେବା ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ପରିବା ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କ୍ଷୟକ୍ଷତି ତଦନ୍ତ କରି ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ନବନିର୍ମାଣ କୃଷକ ସଙ୍ଗଠନ ଜିଲା ସହସଂଯୋଜକ ଅଶୋକ ସ୍ବାଇଁ, ବ୍ଳକ ସଂଯୋଜକ ପ୍ରଫୁଲ୍ଲ ପରିଡା, ଏଆଇକେକେଏମ୍ଏସ୍ର ଜିଲା ସଭାପତି ସୁବାସ ସ୍ବାଇଁ ପ୍ରମୁଖ ଦାବି କରିଛନ୍ତି।