Categories: ଜାତୀୟ

ବାଂଲାଦେଶ-ମ୍ୟାନମାର ମୁହାଁ ହୋଇପାରେ ବାତ୍ୟା: ପାଣିପାଗ ବିଭାଗ ପୂର୍ବାନୁମାନ…

ନୂଆଦିଲ୍ଲୀ,୮।୫ : ସମ୍ଭାବ୍ୟ ବାତ୍ୟା ବିଷୟରେ ଭାରତ ପାଣିପାଗ ବିଭାଗ (ଆଇଏମଡି) ପୁଣି ଥରେ ପୁର୍ବାନୁମାନ କରିଛି। ବିଭାଗ କହିଛି ସୋମବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ସହିତ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହୋଇଛି। ଏହା ବାତ୍ୟାକୁ ଘନୀଭୁତ କରିପାରେ। ଆଇଏମଡି ମହାନିର୍ଦ୍ଦେଶକ ମତ୍ୟୁଞ୍ଜୟ ମହାପାତ୍ର ଏହି ବାଦ୍ୟାର ତୀବ୍ରତାକୁ ନିଶ୍ଚିତ କରିଛନ୍ତି।

ମହାପାତ୍ର କହିଛନ୍ତି, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ସହିତ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହୋଇଛି। ଏହି କାରଣରୁ ମେ ୯ ତାରିଖ ପଶ୍ଚିମବଙ୍ଗର ଦକ୍ଷିଣ-ପୂର୍ବ ଉପକୂଳ, ପୂର୍ବ ସେଣ୍ଟ୍ରାଲ ବେ ଏବଂ ଆଣ୍ଡାମାନ ସାଗରର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

କୁହାଯାଉଛି ଏହି ଝଡ ଆସନ୍ତା ମେ ୧୧ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ଦିଗକୁ ବଙ୍ଗୋପସାଗରର ପୂର୍ବ-ମଧ୍ୟଭାଗକୁ ଯାଇପାରେ। ଏହା ପରେ, ବାଂଲାଦେଶ-ମ୍ୟାନମାର ଉପକୂଳ ଆଡକୁ ଧୀରେ ଧୀରେ ଉତ୍ତର-ପୂର୍ବ ଦିଗକୁ ଫେରିବାର ସମ୍ଭାବନା ଅଛି। ପାଣିପାଗ କାର୍ଯ୍ୟାଳୟ ଏହା ପୂର୍ବରୁ କହିଥିଲା, ମେ ୧୦ ରୁ ମେ ୧୨ ପର୍ଯ୍ୟନ୍ତ ସମୁଦ୍ର ଅସ୍ଥିର ରହିପାରେ।

ଆଇଏମଡି ମଧ୍ୟ ସତର୍କ ଜାରି କରିଛି। ଏଥିରେ କୁହାଯାଇଛି, ଯେଉଁ ଧୀବରମାନେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ଅଛନ୍ତି ସେମାନେ ନିରାପଦ ସ୍ଥାନକୁ ଫେରିବା ଉଚିତ। ଏଥିସହ ଯେଉଁମାନେ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ସାଗରରେ ଅଛନ୍ତି ସେମାନଙ୍କୁ ଆସନ୍ତା ୯ ତାରିଖ ପୂର୍ବରୁ ଫେରିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଭାଗ ମଧ୍ୟ ମେ ୮ ରୁ ମେ ୧୨ ପର୍ଯ୍ୟନ୍ତ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ନିକଟରେ ପର୍ଯ୍ୟଟନ ତଥା ଅଫଶୋର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦେଇଛି।

Share