Advertisement

ଆନ୍ଧ୍ର ମୁହାଁ ବାତ୍ୟା ମିଗଜୋମ, ପ୍ରବଳ ବର୍ଷାରେ ବୁଡ଼ିଲା ତାମିଲନାଡୁ

ଚେନ୍ନାଇ,୪ା୧୨: ବାତ୍ୟା ମିଗଜୋମ ଯୋଗୁଁ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ହେତୁ ଚେନ୍ନାଇ ସହର ଏବଂ ବିମାନବନ୍ଦରର ରନୱେ ଜଳମଗ୍ନ ହୋଇଯାଇଛି। ବର୍ଷାରେ ସୃଷ୍ଟି ହୋଇଥିବା ବନ୍ୟା ଏତେ ଶକ୍ତିଶାଳୀ ଯେ ଅନେକ କାର ଭାସି ଯାଇଛି। ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାତ୍ୟା ମିଗଜୋମ ମଙ୍ଗଳବାର ଘୂର୍ଣ୍ଣିବଳୟରେ ପରିଣତ ହେବ ଏବଂ ନେଲୋର ଏବଂ ମାଛିଲିପାଟନମ୍ ମଧ୍ୟରେ ବାପ୍ଟା ନିକଟ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ।

ଗୃହମନ୍ତ୍ରୀ ଅମିତ ଶାହା ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଘୂର୍ଣ୍ଣିବଳୟ ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ଗୃହମନ୍ତ୍ରୀ କେନ୍ଦ୍ରୀୟ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ସ୍ଥାନୀୟ ଲୋକଙ୍କ ସୁରକ୍ଷା ତଥା ରିଲିଫ କାର୍ଯ୍ୟ ପାଇଁ ବାପାଟଲା କଲେକ୍ଟରେଟ ତୁରନ୍ତ ଏବଂ ବ୍ୟାପକ ପଦକ୍ଷେପ ନେଇଛନ୍ତି। ଏହି ଘୂର୍ଣ୍ଣିବଳୟକୁ ଦୃଷ୍ଟିରେ ରଖି ଅଧିକାରୀମାନଙ୍କୁ ସତର୍କ କରାଯାଇଛି। ଏହା ବ୍ୟତୀତ ୨୪ ଘଣ୍ଟିଆ ସମନ୍ୱୟ ଏବଂ ପରିସ୍ଥିତି ଉପରେ ନଜର ରଖିବା ପାଇଁ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ସ୍ଥାପନ କରାଯାଇଛି।

ଏହା ବ୍ୟତୀତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏଠାରେ ଅନେକ ଗାଡି ନିୟୋଜିତ କରାଯାଇଛି। ଅଭାବୀ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ମେଡିକାଲ କ୍ୟାମ୍ପ ମଧ୍ୟ ସ୍ଥାପନ କରାଯାଇଛି।

Share