Categories: ରାଜ୍ୟ

ବାତ୍ୟା ମିଗ୍‍ଜୋମ୍‍ର ପ୍ରଭାବରେ ଓଡ଼ିଶାରେ ଲାଗି ରହିଛି ବର୍ଷା; ପଟାଙ୍ଗୀଠାରେ ୫୦୦ ମିଲିମିଟର ବର୍ଷା ରେକର୍ଡ

ଭୁବନେଶ୍ୱର,୬।୧୨: କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ସାମୁଦ୍ରିକ ବାତ୍ୟା ‘ମିଗ୍‍ଜୋମ୍‍’ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି । ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାର ପ୍ରଭାବରେ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେଉଥିବାବେଳେ ପୁରୀ, ଖୋର୍ଦ୍ଧା, ଜଗତ୍‍ସିଂହପୁର, ଯାଜପୁର ଏବଂ କଟକରେ ବର୍ଷା ଲାଗି ରହିଛି।

ପାଣିପାଗ କୋରାପୁଟ ଜିଲ୍ଲାର ବିଭିନ୍ନ ଅଂଚଳରେ ମଙ୍ଗଳବାର ରାତିଠାରୁ କ୍ରମାଗତ ବର୍ଷା ଲାଗିରହିଛି । ଜିଲ୍ଲାର ପଟାଙ୍ଗୀରେ ସର୍ବାଧିକ ୧୨୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହାସହିତ ଜିଲ୍ଲାରେ ପ୍ରାୟ ୫୦୦ ମିଲିମିଟର ବର୍ଷା ହୋଇଥିବାର ସୂଚନା ମିଳିଛି । ଏହାର ପ୍ରଭାବରେ ସ୍ୱାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି ।

ବୁଧବାର ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହ ସ୍କୁଲ କଲେଜ୍‍ରେ ଉପସ୍ଥାନ କମ୍‍ ରହିଛି । ଏଥିସହ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ଜୟପୁର ଅଞ୍ଚଳରେ ବ୍ୟାପକ ଧାନଚାଷ ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି । ଗତକାଲି ରାତିରେ ବର୍ଷାର ପରିମାଣ ଅଧିକ ଥିବା ବେଳେ ସକାଳୁ କିଛି ମାତ୍ରାରେ ବର୍ଷା କମିଥିବା ବେଳେ ଝିପିଝିପି ବର୍ଷା ଜାରି ରହିଛି । ବର୍ଷା ଯୋଗୁ ଜମିରେ ପାଚିଲା ଧାନ ଓ କଟା ଯାଇଥିବା ଧାନ ନଷ୍ଟ ହେବାର ଆଶଙ୍କା
ଦେଖାଦେଇଛି ।

Share