Categories: ଜାତୀୟ

ମିଗ୍‌ଜୋମ ତାଣ୍ଡବ: ୫ ମୃତ, ଅନେକ ଉଡ଼ାଣ ରଦ୍ଦ

ଚେନ୍ନାଇ,୫।୧୨: ଦେଶର ଦକ୍ଷିଣ ରାଜ୍ୟରେ ବାତ୍ୟା ମିଗ୍‌ଜୋମ ତାଣ୍ଡବ ରଚିଛି। ଚେନ୍ନାଇରେ ପ୍ରବଳ ବର୍ଷା ଓ ପ୍ରବଳ ପବନ ସହିତ ଘଟଣାରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ରନୱେରେ ପାଣି ଲଗାଯିବା କାରଣରୁ ବିମାନବନ୍ଦରରେ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି ଏବଂ ଅନେକ ବିମାନକୁ ବାତିଲ କରିବାକୁ ପଡିଛି। ପାଣିପାଗ ବିଭାଗ ଅନୁଯାୟୀ ସୋମବାର ଏହା ଏକ ଘୂର୍ଣ୍ଣିବଳୟ ଝଡ଼ରେ ପରିଣତ ହୋଇଥିଲା ଏବଂ ମଙ୍ଗଳବାର ସକାଳେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ସ୍ଥଳଭାଗ ଛୁଇଁବାକୁ ଯାଉଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀର ମୁଖ୍ୟମନ୍ତ୍ରୀଙ୍କ ସହ ମିଗ୍‌ଜୋମ ଦେଇଥିବା ଆହ୍ବାନ ଉପରେ ଆଲୋଚନା କରିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ସେ କେନ୍ଦ୍ର ସରକାରଙ୍କ ସହାୟତା ନିଶ୍ଚିତ କରିଛନ୍ତି।
ଘୂର୍ଣ୍ଣିବଳୟ ସହ ଜଡିତ ବିପର୍ଯ୍ୟୟ ପରିଚାଳନା ପାଇଁ ଭାରତୀୟ ରେଳ ବିଭାଗ ଉଭୟ ବିଭାଗୀୟ ତଥା ମୁଖ୍ୟାଳୟ ସ୍ତରରେ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛି। ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ଇଷ୍ଟକୋଷ୍ଟ ରେଳବାଇ ଏହାର ଅଧୀନରେ ଥିବା ମୋଟ ୬୦ଟି ଟ୍ରେନକୁ ବାତିଲ କରିଦେଇଛି।
ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀରେ ୨୧ଟି ଟିମ ନିୟୋଜିତ କରିଛି। ମିଗ୍‌ଜୋମକୁ ଦୃଷ୍ଟିରେ ରଖି ଆଠଟି ଅତିରିକ୍ତ ଦଳ ରିଜର୍ଭରେ ରଖାଯାଇଛି।

Share