ବାତ୍ୟା ମିଗ୍‌ଜୋମ୍‌: ପ୍ରବଳ ବର୍ଷା ଯୋଗୁ ମାଆ ଗୃହକୁ ସ୍ଥାନାନ୍ତରିତ ହେଲେ ଗର୍ଭବତୀ ମହିଳା

ଗଜପତି,୬।୧୨(ଗିରିଧାରୀ ପରିଛା): ଗଜପତି ଜିଲାରେ ବାତ୍ୟା ମିଗ୍‌ଜୋମ ଯୋଗୁଁ ବର୍ଷା ଜାରି ରହିଥିବା ବେଳେ କ୍ରମଶଃ ବର୍ଷାର ପରିମାଣ କମିବାରେ ଲାଗିଛି। କିନ୍ତୁ ଜିଲାରେ ବାତ୍ୟାର ପ୍ରଭାବ ଯେଉଁଭଳି ଭାବେ ଆକଳନ କରାଯାଇଛି ସେହିପରି ପ୍ରଭାବ ପଡିନି। ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ସୂଚନାକୁ ନେଇ ଜିଲା ପ୍ରଶାସନ ମଧ୍ୟ କ୍ରିୟାଶୀଳ ହୋଇପଡିଥିଲା। ବିଭାଗ ପକ୍ଷରୁ ଗଜପତି ଜିଲାକୁ ଓରେଞ୍ଜ ଓ୍ବାର୍ଣ୍ଣିଂ ଦିଆଯାଇଥିଲା।
ଜିଲାରେ ଚଳିତ ବର୍ଷ ବୃଷ୍ଟିପାତ କମ ସାଙ୍ଗକୁ ଜଳସେଚନର ଅସୁବିଧା ଯୋଗୁ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଯାହା କିଛି ବଞ୍ଚିଥିଲା ଏବେ ବାତ୍ୟା ହେବା ଯୋଗୁଁ ଧାନ କପା ଓ ମକା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଅଛି। ପୂର୍ବରୁ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚାଷୀମାନଙ୍କୁ ଧାନ ଫସଲ ସୁରକ୍ଷା ନେଇ ବିଭିନ୍ନ ସଚେତନତା କରାଯାଇଥିଲା। କିନ୍ତୁ ଅଳ୍ପ କିଛି ଚାଷୀ ନିଜ ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଥିବା ଜଣାପଡିଛି।

ବାତ୍ୟା ପ୍ରଭାବରୁ ଗଜପତି ଜିଲାରେ ପ୍ରବଳ ବର୍ଷା ହେବ ସମ୍ଭାବନା ରହିଛି । ତେଣୁ ଏସଆରସିଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଦିନ ସମସ୍ତ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡି,ବେସରକାରୀ ସ୍କୁଲ ସମସ୍ତକୁ ଛୁଟି ଘୋଷଣା କରାଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲାରେ ସମସ୍ତ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, ଘରୋଇ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା ବୋଲି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ କହିଛନ୍ତି ।

ତେବେ ରବିବାର ଦିନ ଠାରୁ ବାତ୍ୟାର ପ୍ରଭାବରୁ ଝିପିଝିପି ବର୍ଷା ଚାଲୁ ରହିଛି। ବର୍ତ୍ତମାନ ଯାଏ ଜିଲାର କୋଣସି ସ୍ଥାନରେ ସେଭଳି ଅଧିକ ବର୍ଷା ହେବାର ସୂଚନା ନାହିଁ। ତେଣୁ ଜିଲାର ସମସ୍ତ ଅଞ୍ଚଳରେ ଲୋକଙ୍କୁ ସଚେତନ କରାଯିବା ସହ ୧୫ଜଣ ଗର୍ଭବତୀ ମାଆମାନଙ୍କୁ ମାଆ ଗୃହକୁ ସ୍ଥାନାନ୍ତରିତ କରାଯାଇଛି। ଜିଲାରେ ସର୍ବାଧିକ କାଶୀନଗର ବ୍ଲକରେ ୧୯.୩୪ ମିମି ବର୍ଷା ହୋଇଥିବା ବେଳେ ଗୋଶାଣୀ ବ୍ଲକରେ ସର୍ବନିମ୍ନ ୮ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି। ଜିଲାରେ ମୋଟ ୯୩.୩ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ହାରାହାରି ବୃଷ୍ଟିପାତ ୧୧.୬ମିମି ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ବାତ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି

Share