Categories: ଜାତୀୟ

ମିଗଜୋମ୍‌ର ପ୍ରଭାବ: ତାମିଲନାଡୁ, ଆନ୍ଧ୍ରପ୍ରଦେଶରେ ସ୍କୁଲ ବନ୍ଦ, ୧୪୪ ଟ୍ରେନ ବାତିଲ

ନୂଆଦିଲ୍ଲୀ,୪।୧୨: ବର୍ତ୍ତମାନ ଦକ୍ଷିଣ ରାଜ୍ୟରେ ଏକ ନୂଆ ଝଡ ମିଗଜୋମ୍‌ର ପ୍ରଭାବ ବଢୁଛି। ଏହି ଝଡ ସୋମବାର ତାମିଲନାଡୁର ଉପକୂଳରେ ପହଞ୍ଚିପାରେ। ଏହା ସହିତ, ଏହି ସାଇକ୍ଲୋନିକ ଝଡ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ମଧ୍ୟ ପ୍ରଭାବିତ କରିପାରେ। ସମ୍ଭାବ୍ୟ ବିପଦକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଛନ୍ତି। ଏହି କାରଣରୁ ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଜିଲାର ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତାମିଲନାଡୁ ଏବଂ ପୁଡୁଚେରୀରେ ବର୍ଷା, ଝଡ ଏବଂ ବଜ୍ରପାତ ପାଇଁ ପାଣିପାଗ ବିଭାଗ ଚେତାବନୀ ଦେଇଛି। ବେସରକାରୀ କମ୍ପାନୀମାନଙ୍କୁ ସେମାନଙ୍କ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ସରକାର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି, ସାଇକ୍ଲୋନିକ ମିଗଜୋମ୍‌ ସମ୍ପର୍କରେ ସେ ଦେଶର ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଏହି ଘୂର୍ନିବଳୟକୁ ଦୃଷ୍ଟିରେ ରଖି ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ୧୪୪ ଟ୍ରେନକୁ ବାତିଲ କରିଦେଇଛି।

Share