ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର ରୂପ ନେଇ ମଙ୍ଗଳବାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଅନ୍ୟପକ୍ଷେ ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ବର୍ଷା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପାଣିପାଗ ବିଭାଗ ପକ୍ଷରୁ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ।

ଜିଲାରେ ଚଳିତ ବର୍ଷ ବୃଷ୍ଟିପାତ କମ୍‌ ସାଙ୍ଗକୁ ଜଳସେଚନର ଅସୁବିଧା ଯୋଗୁ ଧାନ ଫସଲ ନଷ୍ଟ ହୋଇଥିବା ବେଳେ କିଛି ଯାହା କିଛି ବଞ୍ଚିଥିଲା ଏବେ ବର୍ଷା ହେଲେ ସବୁ ନଷ୍ଟ ହୋଇଯିବ ବୋଲି ଚାଷୀମାନେ କହିଛନ୍ତି। ବର୍ତ୍ତମାନ ଚାଷୀ ତରବରିଆ ଭାବେ ଧାନ କାଟି ସୁରକ୍ଷା ପାଇଁ ଅନ୍ୟ ସ୍ଥାନକୁ ନେଉଥିବା ଦେଖିବାକୁ ମିଳିଛି ।
ଛତ୍ରପୁର ବ୍ଲକରେ ୭୨୩୫ ହେକ୍ଟରରେ ଜମିରେ ଧାନ ଚାଷ ହୋଇଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି । ଏହାସହ ବିଭାଗ ପକ୍ଷରୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚାଷୀମାନଙ୍କୁ ଧାନ ଫସଲ ସୁରକ୍ଷା ନେଇ ଡାକବାଜି ଯନ୍ତ୍ର ଯୋଗେ ସଚେତନତା କରାଯାଉଛି । ସେମାନଙ୍କ
ଧାନ ଫସଲ ଗୁଡିକ କିପରି ସୁରକ୍ଷିତ ରହିବ ଚାଷୀକୁ ଅବଗତ କରାଯାଉଛି । ସେହିପରି ସମୁଦ୍ର ଅଶାନ୍ତ ଥିବାରୁ ସତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ମାଛ ଧରିବା ଉପରେ ରୋକ୍‌ ଲଗାଯାଇଛି ଯାହାକି ସେମାନଙ୍କ ଜୀବିକା ଉପରେ ପ୍ରଭାବ ପକାଉଛି।

Share