‘ମୋଚା’ର ତାଣ୍ଡବ ପାଣିରେ ବୁଡିଯିବ ବାଂଲାଦେଶର ଦ୍ୱୀପ

ଢାକା,୧୪।୫: ଲ୍ୟାଣ୍ଡଫଲ କରିଛି ଘୁର୍ଣ୍ଣିବାତ୍ୟା ‘ମୋଚା’। ଏବେ ଏହାର ପ୍ରକୋପ ବଢିବାରେ ଲାଗିଛି। ବାଂଲାଦେଶୀ ମିଡିଆର ସୂଚନା ଅନୁଯାୟୀ, ଆଗକୁ ଏହି ଘୂର୍ଣ୍ଣିଝଡ଼ ସେତିକି ଉଗ୍ର ହେବ ଯେଉଁଥିରେ ବାଂଲାଦେଶର ଏକ ଦ୍ୱୀପ ପାଣିରେ ବୁଡିଯିବ। ହେଲେ ଏହା ଅସ୍ଥାୟୀ ଭାବେ ହେବ ଓ କିଛି ସମୟ ପରେ ପାଣି ପୁଣି ଖସିଯିବ। ବାଂଲାଦେଶର ଅଧିକାରୀମାନେ କହିଛନ୍ତି, ବାଂଲାଦେଶର ଦ୍ୱୀପ ସେଂଟ ମାର୍ଟିନ ଉପରେ କୌଣସି ବିକାଶ କାର୍ଯ୍ୟ କରାଯାଇନାହିଁ। ଯେତେବେଳେ ଘୁର୍ଣ୍ଣିଝଡ଼ର ପ୍ରକୋପ ବଢିବ ସେତେବେଳେ ପାଣି ସେଂଟ ମାର୍ଟିନ ଦ୍ୱୀପର ଗୋଟିଏ ପଟେ ଚଢି ଆରପଟରେ ବାହାରିଯିବ। ଫଳରେ କିଛି ସମୟ ପାଇଁ ଏହି ଦ୍ୱିପଟି ସମ୍ପୂର୍ଣ୍ଣଭାବେ ବୁଡିଯିବ ବୋଲି ଅନୁମାନ କରାଯାଉଛି।
ପାଣିପାଗ ବିଭାଗର ଅଧିକାରୀମାନେ କହିଛନ୍ତି, ଯେତେବେଳେ ମୋଚାର ପ୍ରଭାବ ବଢି ବଢି ଯିବ, ସେତେବେଳେ ଏହାର ପ୍ରଭାବରେ ଦ୍ୱୀପଟି ବୁଡିଯିବ ହେଲେ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ନାହିଁ। ବାଂଲାଦେଶ ପାଣିପାଗ ବିଭାଗ କହିଛି ଏହାର କେନ୍ଦ୍ର ରହିଛି ମ୍ୟାନମାର। ଫଳରେ ଏହାର ପ୍ରଭାବ ବାଂଲାଦେଶର କୋକ୍ସ ବାଜାର ଉପରେ ରହିବ। ଏବେ ବାଂଲାଦେଶର ଉପକୂଳରେ ବର୍ଷା ଆରମ୍ଭ ହୋଇଯାଇଛି।
‘ମୋଚା’ର ପ୍ରଭାବରେ ବାଂଲାଦେଶର ମଧ୍ୟ-ପୂର୍ବ ଉପକୂଳ ଓ ଏହାର ଆଖପାଖରେ ଖୁବ ଜୋରରେ ପବନ ବହିବ। ଏହାର ବେଗ ଘଣ୍ଟାକୁ ୨୧୦ କିଲୋମିଟର ରହିବ ବୋଲି ଅନୁମାନ କରାଯାଇଛି। ଉପକୂଳ ଅଞ୍ଚଳରେ ‘ମୋଚା’କୁ ନେଇ ଆଲର୍ଟ ଜାରି କରାଯାଇଛି।

Share