Categories: ଜାତୀୟ

ବାତ୍ୟା ମୋଚାକୁ ନେଇ ପଶ୍ଚିମବଙ୍ଗରେ ଆଲର୍ଟ

ନୂଆଦିଲ୍ଲୀ/କୋଲକାତା,୧୨।୫: ଦକ୍ଷିଣ ପୂର୍ବ ଏବଂ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋଚା’ ଘନୀଭୂତ ହୋଇ ଶୁକ୍ରବାର ଉଗ୍ର ରୂପ ନେବାରେ ଲାଗିଛି। ଏହାର ପ୍ରଭାବରେ ଉତ୍ତର-ପୂର୍ବ ରାଜ୍ୟ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏପରି କି ବାତ୍ୟାକୁ ନେଇ ପଶ୍ଚିମବଙ୍ଗରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। ଏନ୍‌ଡିଆରଏଫର କମାଣ୍ଡାଣ୍ଟ ଗୁରୁମିନ୍ଦର ସିଂ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଏନ୍‌ଡିଆରଏଫ୍‌ର ୮ଟି ଦଳ ଏବଂ ୨୦୦ ଉଦ୍ଧାରକାରୀଙ୍କୁ ଉପକୂଳର ବିଭିନ୍ନ ସ୍ଥାନରେ ନିୟୋଜିତ କରାଇଛି। ୧୦୦ଜଣ ଉଦ୍ଧାରକାରୀଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଥିବା ସେ ସୂଚନା ଦେଇଛନ୍ତି।
ପାଣିପାଗ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ମତ୍ସ୍ୟଜୀବୀ ଏବଂ ଯାତ୍ରୀମାନଙ୍କୁ ରବିବାର ପର୍ଯ୍ୟନ୍ତ କେନ୍ଦ୍ରୀୟ ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ପ୍ରବେଶ ନ କରିବାକୁ କୁହାଯାଇଛି। ମେ ୧୪ ତାରିଖ ମଧ୍ୟାହ୍ନ ବେଳକୁ ଏହି ବାତ୍ୟା ମ୍ୟାନମାରର ସିତ୍ତ୍ବେ ପାଖ ଦେଇ କକ୍ସ ବଜାର ଓ କ୍ୟାୟୁକ୍ପିୟୁ ମଧ୍ୟ ଦେଇ ଦକ୍ଷିଣପୂର୍ବ ବାଂଲାଦେଶ ଓ ଉତ୍ତର ମ୍ୟାନମାର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେତେବେଳେ ଘଣ୍ଟାପ୍ରତି ୧୫୫ରୁ ୧୬୦ କି.ମି ବେଗରେ ପବନ ବହିବ ବାଲି ପାଣିପାଗ ବିଭାଗ ଆକଳନ କରିଛି।

Share