ନୂଆଦିଲ୍ଲୀ,୨୬ ।୧୧: ବଙ୍ଗୋପସାଗର ଉପକୂଳରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନିଭାର’ ଗତ ରାତିରେ ତାମିଲନାଡୁ ଓ ପୁଡୁଚେରୀରେ ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ଅନେକ ସ୍ଥାନରେ ପାଣିର ସୁଅ ଛୁଟିଛି । ପାଣିପାଗ ବିଭାଗର ସୂଚନା ଅପୁଯାୟୀ ଏହା ଉତ୍ତ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଏହା କିଛି ଘଣ୍ଟା ମଧ୍ୟରେ ଦୂର୍ବଳ ହୋଇଯିବ ବୋଲି ଅନୁମାନ କରାଯାଉଛି । ନିଭାର ପ୍ରଭାବରେ ବର୍ଷା ସାଙ୍ଗକୁ ପବନ ବହିଥିଲେ ବି ବିଶେଷ ପରିମାଣର ଧନଜୀନବ କ୍ଷୟକ୍ଷତି ହୋଇ ନ ଥିବା କୁହାଯାଉଛି । ପବନ ଯୋଗୁ କେତେକ ସ୍ଥାନରେ ବଡ ବଡ ଗଛ ଉପୁଡି ପଡିଥିବା ଦେଖାଯାଇଛି । ଏହାକୁ ନେଇ ଗୁରୁବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାମିଲନାଡୁ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ବେଳେ ଯାଥା ସମ୍ଭବ କେନ୍ଦ୍ର ନିକଟରୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।