ଭୁବନେଶ୍ୱର,୮ା୧୦(ବ୍ୟୁରୋ): ଆସନ୍ତା ୧୯ କିମ୍ବା ୨୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ବିଭିନ୍ନ ପାଣିପାଗ ମଡେଲ ସୂଚନା ଅନୁଯାୟୀ ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏପରିକି ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ବାତ୍ୟା ରୂପ ନେବ ବୋଲି ଅନୁମାନ କରାଯାଉଛି। ଲଘୁଚାପ ଦୁଇଦିନ ସମୁଦ୍ର ଭିତରେ ବଳ ଗୋଟାଇ ଆହୁରି ଶକ୍ତିଶାଳୀ ହେବ। ଅକ୍ଟୋବର ୨୧ କିମ୍ବା ୨୨ ତାରିଖ ସୁଦ୍ଧା ଆନ୍ଧ୍ର ଉପକୂଳ କିମ୍ବା ବାଂଲାଦେଶ ମୁହାଁ ହେବାର ସମ୍ଭାବନା ରହିଛି। ଆନ୍ଧ୍ର ଉପକୂଳ ମୁହାଁ ହେଲେ ଦକ୍ଷିଣ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି। ଅକ୍ଟୋବର ମାସ ବାତ୍ୟାପ୍ରବଣ ହୋଇଥିବାରୁ ଓଡ଼ିଶା ପାଇଁ ଏହା ବିପଦ ସୃଷ୍ଟି କରିବା ଆଶଙ୍କା ବଢ଼ିଯାଇଛି। ତେବେ ବାତ୍ୟାର ଗତିପଥ ଓ ରୂପରେଖ ନେଇ ଏ ପର୍ଯ୍ୟନ୍ତ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ବାତ୍ୟାର ରୂପରେଖ କିପରି ହେବ ସେ ନେଇ ସପ୍ତାହକ ପରେ ଜଣାପଡ଼ିବ। ଆଣ୍ଡାମାନ ଉପକୂଳରେ ବାତ୍ୟା ହେବା ନେଇ ଏକ ସିଷ୍ଟମ୍ ଦେଖାଉଛି। ତେବେ ଆସନ୍ତା ସପ୍ତାହକ ମଧ୍ୟରେ ଏହାର ରୂପରେଖ ସମ୍ପର୍କରେ ଜଣାପଡ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି।