Categories: ଜାତୀୟ

ତଉକ୍‌ତାଏର ଲାଣ୍ଡ୍‌ଫଲ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,୧୭।୫: ଆରବ ସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ଝଡ଼ ତଉକ୍‌ତାଏ ସୋମବାର ରାତିରେ ଗୁଜରାଟର ପଶ୍ଚିମ ଉପକୂଳରେ ଲାଣ୍ଡ୍‌ଫଲ ପ୍ରକ୍ରିୟା ଆରମ୍ଭ କରିଛି। ଏହା ପ୍ରଭାବରେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ଖୁବ୍‌ ଅଧିକ ରହିଛି। ସ୍ଥାନୀୟ ହସ୍ପିଟାଲରୁ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସମେତ ଉପକୂଳବର୍ତ୍ତୀ ଅଞ୍ଚଳରୁ ଲକ୍ଷାଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି। ରାଜ୍ୟର ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟ ମହାରାଷ୍ଟ୍ର, ଗୁଜରାଟ ଓ ଗୋଆର ମୁଖ୍ୟମନ୍ତ୍ରୀ ଏବଂ ଡାମନ ଓ ଡ୍ୟୁର ଲ୍ୟୁଟେନାଣ୍ଟ ଗଭର୍ନରଙ୍କ ସହ କଥା ହୋଇଛନ୍ତି।

ଭୟଙ୍କର ବାତ୍ୟା ତଉକ୍‌ତାଏ ଗୁଜରାଟର ଉପକୂଳ ନିକଟରେ ପହଞ୍ଚିଛି। ଏହାର ଲାଣ୍ଡ୍‌ଫଲ ପ୍ରକ୍ରିୟା ସୋମବାର ରାତିରୁ ଆରମ୍ଭ ହୋଇଯାଇଛି। ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଟୁଇଟ୍‌ କରାଯାଇଛି।

Share