Categories: ଜାତୀୟ

ମାଡିଆସୁଛି ଅତି ଭୟଙ୍କର ବାତ୍ୟା ‘ତଉକତେ’

ନୂଆଦିଲ୍ଲୀ,୧୪।୫: ଦକ୍ଷିଣପୂର୍ବ ଆରବ ସାଗର ଓ ଲକ୍ଷଦ୍ୱୀପରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଡିପ୍‌ ଡିପ୍ରେସନରେ ପରିଣତ ହୋଇଛି । ଶନିବାର ଏହା ବାତ୍ୟା(ସାଇକ୍ଲୋନ)ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ସୂଚନା ଦିଆଯାଇଛି। ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ, ୧୫ ତାରିଖ ରାତି କିମ୍ବା ୧୬ ତାରିଖ ସକାଳ ବେଳକୁ ଏହା ସାଇକ୍ଲୋନ ବା ବାତ୍ୟା ଓ ୧୭ ତାରିଖ ବେଳକୁ ସିଭିୟର ସାଇକ୍ଲୋନ ବା ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୭୫କି.ମି ଟପିପାରେ ବୋଲି ଆଇଏମ୍‌ଡି ପକ୍ଷରୁ ପୂର୍ବାନୁମାନ କରାଯ଼ାଇଛି। ବାତ୍ୟା ଭୀଷଣ ରୂପ ଧାରଣ କରି ଉତ୍ତର-ଉତ୍ତରପଶ୍ଚିମ ଗୁଜରାଟ ଆଡକୁ ଗତି କରିବ। ପାକିସ୍ତାନ ଉପକୂଳରେ ଏହା ସମାନ୍ତରଳ ଭାବେ ଆଗକୁ ବଢିବ। ମେ’ ୧୮ ତାରିଖ ସକାଳ ସୁଦ୍ଧା ଗୁଜରାଟ ଉପକୂଳ ଛୁଇଁବ ବୋଲି ଆକଳନ କରାଯାଉଛି। ଏନେଇ ଗୁଜରାଟରେ ୧୭ ତାରିଖରୁ ବର୍ଷା ଆରମ୍ଭ ହେବ। ସୌରାଷ୍ଟ୍ର ଓ କଛର ଜିଲାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ମେ’ ୧୯ରେ ରାଜସ୍ଥାନର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମ୍‌ଡି ଆକଳନ କରିଛି। ବାତ୍ୟା ପ୍ରଭାବରେ କେରଳର ୫ଟି ଜିଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏନେଇ ଏହି ୫ ଜିଲାକୁ ରେଡ ଆଲର୍ଟ ଜାରି କରାଯାଇଛି। କର୍ନାଟକ, ଗୋଆ, ଲକ୍ଷଦ୍ବୀପ, ମହାରାଷ୍ଟ୍ରରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ମିଆଁମାର ଭାଷା ଅନୁସାରେ ଏହି ସମ୍ଭାବ୍ୟ ବାତ୍ୟାର ନାମ ତଉକତେ ରଖାଯାଇଛି।

Share