Categories: ଜାତୀୟ

୧୭୫ କିଲୋମିଟର ବେଗରେ ମାଡ଼ି ଆସୁଛି ବାତ୍ୟା ‘ତଉକତେ’…

ମୁମ୍ବାଇ,୧୫।୫:  ଲାକ୍ଷାଦ୍ୱୀପ ଏବଂ ଆରବ ସାଗର ଉପର ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୁତ ହୋଇ ଡିପ୍‌ ଡିପ୍ରେସନ୍‌ରେ ପରିଣତ ହୋଇଛି। ଏହି ବାତ୍ୟାକୁ ଏକ ଛିଟିପିଟି ପ୍ରଜାତି ଅନୁସାରେ ‘ତଉକତେ’ ନାମ ଦିଆଯାଇଛି। ବାତ୍ୟା ଘଣ୍ଟାପ୍ରତି ୧୭୫ କିଲୋମିଟର ବେଗରେ ଉପକୂଳ ମୂହାଁ ହୋଇଛି। ଆସନ୍ତା ୩ ଦିନମଧ୍ୟରେ ‘ତଉକତେ’ ଗୁଜରାଟ, ମହାରାଷ୍ଟ୍ର ଏବଂ କେରଳ ଉପକୂଳରେ ପହଞ୍ଚିବାର ଆଶଙ୍କା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳ ବାସିନ୍ଦାଙ୍କ ସ୍ଥାନାନ୍ତରଣ ଜାରି ରହିବା ସହିତ ୫୩ ଏନ୍‌ଡିଆର୍‌ଏଫ୍‌ ଟିମ୍‌ଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିବା ଲାଗି ସଜାଗ ରଖାଯାଇଛି। ତାମିଲନାଡୁ ମତ୍ସ ସମ୍ପଦ ବିଭାଗ ପକ୍ଷରୁ ମାଛ ଧରିବା ପାଇଁ ଗଭୀର ସମୁଦ୍ରକୁ ନ ଯିବା ଲାଗି ୨୫୦୦ ଧୀବରଙ୍କୁ ପରାମର୍ଶ ଦିଆଯାଇଛି। ୧୬ରୁ ୧୯ ତାରିଖ ମଧ୍ୟରେ ‘ତଉକତେ’ ଭୀଷଣ ରୂପ ଧାରଣ କରିବାର ଆଶଙ୍କା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Share