ବାତ୍ୟା ଆଶଙ୍କା: ଓଡ଼ିଶାରେ ପବନ, ବର୍ଷା

ଭୁବନେଶ୍ୱର, ୨୩।୧୦(ଅସମାପିକା ସାହୁ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି। ରବିବାର ସନ୍ଧ୍ୟା ସୁଦ୍ଧା ଏହା ପାରାଦୀପଠାରୁ ଦକ୍ଷିଣରେ ୫୨୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ୬ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବା ପରେ ଉତ୍ତର ଆଡ଼କୁ ଗତି କରିବା ଆଶଙ୍କା ରହିଛି। ସୋମବାର ମଧ୍ୟରାତ୍ରି ସୁଦ୍ଧା ଏହା ଦୁର୍ବଳ ବାତ୍ୟାର ରୂପ ନେଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ବାତ୍ୟାର ନାଁ ରହିବ ‘ହମୁନ୍‌’। ଦୁଇଦିନ ପର୍ଯ୍ୟନ୍ତ ଏହା ବଙ୍ଗୋପସାଗରରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ରରେ ପବନର ବେଗ ସର୍ବାଧିକ ୮୦ କିମି ରହିବା ସହ ୨୬ ତାରିଖ ଯାଏ ସମୁଦ୍ର ଅଧିକ ଅଶାନ୍ତ ରହିବ। ସେ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। କିନ୍ତୁ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ। କିନ୍ତୁ ସୋମବାରଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ।

ଉପକୂଳରେ ପବନ ସହ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସୋମବାର କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ସହିତ ଉପକୂଳ ଓଡ଼ିଶାର କିଛି ଜିଲାରେ ବର୍ଷା ହେବାର ଆଶଙ୍କା ରହିଛି। ମଙ୍ଗଳବାର କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ସହିତ ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ଜିଲା, ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ଜିଲା ଏବଂ ବାକିସବୁ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବ। ଏଥିସହିତ ବୁଧବାର ୨୫ ତାରିଖରେ ମୟୂରଭଞ୍ଜ ଓ ଢେଙ୍କାନାଳ ସହିତ ଉପକୂଳ ଓଡ଼ିଶାର କିଛି ଜିଲା ଏବଂ ଗୁରୁବାର ୨୬ରେ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Share