ମହାବାତ୍ୟା ରୂପ ନେଲା ‘ମୋଚା’, ଆଜି ବାଂଲାଦେଶ-ମ୍ୟାନମାରରେ ହେବ ମାଡ଼

ଢାକା,୧୪ା୫: ସାମୁଦ୍ରିକ ଝଡ଼ ‘ମୋଚା’ ଉଗ୍ର ରୂପ ଧାରଣ କରିଛି। ଏହା ବାଂଲାଦେଶ ଏବଂ ମ୍ୟାନମାର ଉପକୂଳରେ ଆଜି ଅର୍ଥାତ୍‌ ରବିବାର ମାଡ଼ ହୋଇପାରେ। ଏହି ବାତ୍ୟା ଦ୍ୱାରା ବାଂଲାଦେଶ ଏବଂ ମ୍ୟାନମାର ହଜାର ହଜାର ଲୋକ ପ୍ରଭାବିତ ହୋଇପାରନ୍ତି। ଘଣ୍ଟା ପ୍ରତି ୨୪୦ କିଲୋମିଟର ବେଗରେ ପବନ ବହିବ ଏବଂ ୧୨ ଫୁଟ ଉଚ୍ଚତାରେ ସମୁଦ୍ର ଜୁଆର କୂଳ୍ରଆଡ଼କୁ ମାଡ଼ିଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କୁହାଯାଇଛି। ଏହାର ସର୍ବାଧିକ ପ୍ରଭାବ ମ୍ୟାନମାରରେ ଦେଖାଦେବ।

ମିଳିତ ଜାତିସଂଘ ସାଟେଲାଇଟ କେନ୍ଦ୍ର ଚେତାବନୀ ଦେଇଛି ଯେ, ଯଦି ଏହି ଝଡ଼ ବେଙ୍ଗଲ ଉପକୂଳ ଆଡ଼କୁ ଗତି କରେ, ତେବେ ବହୁ ସଂଖ୍ୟକ ଲୋକ ପ୍ରଭାବିତ ହୋଇପାରନ୍ତି। ବାଂଲାଦେଶର ବିପର୍ଯ୍ୟୟ ପ୍ରଶମନ ଅଧିକାରୀ ମିଜାନୁର ରହମାନ କହିଛନ୍ତି, ଜୀବନ ବଞ୍ଚାଇବା ଆମର ପ୍ରାଥମିକତା। ମଧ୍ୟାହ୍ନ ସୁଦ୍ଧା ବାତ୍ୟା ଆସିବା ପୂର୍ବରୁ ଆମେ ପ୍ରାୟ ୪ ଲକ୍ଷ ଲୋକଙ୍କୁ ବିପଦପୂର୍ଣ୍ଣ ଅଞ୍ଚଳରୁ ସ୍ଥାନାନ୍ତର କରିସାରିଛୁ।

Share