Categories: ଜାତୀୟ

ସିଲିଣ୍ଡର ବିସ୍ଫୋରଣ: ୫ ଜୀବନ୍ତ ଦଗ୍ଧ

ପାଟନା,୧୫।୩: ବିହାରର କିଶନଗଞ୍ଜ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ସିଲିଣ୍ଡର ବିସ୍ଫୋରଣରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଛନ୍ତି। ରୋଷେଇ ଘରେ ଚୁଲୀ ପାଖରେ ସିଲିଣ୍ଡର ରଖାଯାଇଥିଲା। ଚୁଲୀରୁ ନିଆଁ ସିଲିଣ୍ଡରରେ ଲାଗିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ପିତା ଏବଂ ୪ ସନ୍ତାନ ରହିଛନ୍ତି। ଅପରପକ୍ଷରେ ମାତା ଶାହାଜାଦୀ ବାନୋ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାତିରେ କାଠ ଚୁଲାରେ ଖାଦ୍ୟ ରନ୍ଧା ସରିବା ପରେ ପରିବାର ସଦସ୍ୟମାନେ ଖାଇ ନିଦରେ ଶୋଇ ପଡ଼ିଥିଲେ। ତେବେ କାଠ ଚୁଲାର ନିଆଁ ସମ୍ପୂର୍ଣ୍ଣ ଲିଭି ନ ଥିବାରୁ ଏଭଳି ଘଟିଥିବା ଆଶଙ୍କା କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି। ବିସ୍ଫୋରଣରେ ଘରେ ନିଆ ଲାଗିଯାଇଥିଲା ନିଦରେ ଶୋଇଥିବା ଅବସ୍ଥାରେ ମୃତକମାନେ ଜୀବନ୍ତ ଜଳି ଯାଇଥିଲେ। ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

Share