ମୁଣ୍ଡ ଟେକିଲାଣି ଡି-ବ୍ରଦର୍ସ ଗ୍ୟାଙ୍ଗ୍‌

କଟକ ଅଫିସ,୧୩।୮: ଅନେକ ଦିନର ବ୍ୟବଧାନ ପରେ ଗ୍ୟାଙ୍ଗଷ୍ଟାର ଧଳସାମନ୍ତ ଭ୍ରାତାଙ୍କ ଡି-ଗ୍ୟାଙ୍ଗ ସହରରେ ପୁଣି ମୁଣ୍ଡ ଟେକିଲାଣି। ଗ୍ୟାଙ୍ଗର ପୂର୍ବତନ ସଦସ୍ୟଙ୍କୁ ଫେରାଇଆଣି ଧଳସାମନ୍ତ ଭ୍ରାତାଙ୍କ ଆପରାଧିକ ସାମ୍ରାଜ୍ୟକୁ ପୁଣିଥରେ ମଜଭୁତ୍‌ କରିବା ପାଇଁ ଉଦ୍ୟମ ଚାଲିଛି। ବିଭିନ୍ନ ଅପରାଧ ସହ ଦାଦାବଟି ଆଦାୟ କରାଯାଉଛି। ଲାଲବାଗ ଥାନା ପୋଲିସ ବୁଧବାର ଏହି ଗ୍ୟାଙ୍ଗ୍‌ର ୨ଜଣଙ୍କୁ ଗିରଫ କରିବା ପରେ ଡି- ବ୍ରଦର୍ସ ଗ୍ୟାଙ୍ଗ୍‌ ପୁଣି ସକ୍ରିୟ ହୋଇଥିବା ସ୍ପଷ୍ଟ ହୋଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କାଳିଗଳିର ଡାନି ଓରଫ ଶଶିକାନ୍ତ ଖଣ୍ଡେଇ (୩୪) ଓ ହସିନାବାଦର ରଣିଆ ଓରଫ ରଞ୍ଜିତ ସିଂ (୪୯)। ଜଣେ ଯୁବକଙ୍କୁ ଗ୍ୟାଙ୍ଗରେ ମିଶିବା ପାଇଁ ବାଧ୍ୟ କରିବା ଅଭିଯୋଗରେ ଉଭୟ ଗିରଫ ହୋଇଛନ୍ତି। ଏମାନଙ୍କଠାରୁ ଗୋଟିଏ ୯ ଏମ୍‌ଏମ୍‌ ଓ ଗୋଟିଏ ୭.୬୫ ଏମ୍‌ଏମ୍‌ ବନ୍ଧୁକ ସମେତ ୬୯ଟି ଗୁଳି ଜବତ କରାଯାଇଛି। ପୂର୍ବରୁ ମଧ୍ୟ ଡାନି ଧଳଭ୍ରାତାଙ୍କ ଲିଙ୍କରେ ଗିରଫ ହୋଇଛନ୍ତି।
ସୂଚନା ଅନୁଯାୟୀ, ବାଙ୍କାବଜାରର ରିଆଜ ବକ୍ସ (୩୨) ମଙ୍ଗଳବାର ଲାଲବାଗ ଥାନାରେ ଏକ ଅଭିଯୋଗ କରିଥିଲେ ଯେ ରାତି ୮ଟା ବେଳେ ଅଭିଯୁକ୍ତ ଡାନି ଓ ରଣିଆ ଫୋନ୍‌ କରି ତାଙ୍କୁ ଚୂନଭାଟି ଗଳିକୁ ଡକାଇଥିଲେ। ଗ୍ୟାଙ୍ଗରେ ମିଶିବା ପାଇଁ ସେମାନେ ରିଆଜଙ୍କୁ ପ୍ରଲୋଭନ ଦେଖାଇଥିଲେ। ସେ ରାଜି ନ ହେବାରୁ ଉଭୟ ଧମକ ଦେଇଥିଲେ। ସେମାନଙ୍କ ନିକଟରୁ ଖସିଆସି ରିଆଜ ରାତି ପ୍ରାୟ ୧୧ଟାରେ ଲାଲବାଗ ଥାନାରେ ଏତଲା ଦେଇଥିଲେ। ପୋଲିସ ଖୋଳତାଡ଼ କରିବା ପରେ କେସ୍‌ ନଂ ୧୯୫/୨୦ରେ ଆଇପିସି ଧାରା ୨୯୪, ୫୦୬, ୩୮୫, ୩୮୬, ୧୨୦(ବି), ଆର୍ମସ ଆକ୍ଟ-୨୫ (୧-ଏ, ୧-ଏଏ), ୨୭ ଅନୁଯାୟୀ ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଡିସିପି ପ୍ରତୀକ ସିଂ କହିଛନ୍ତି, ଏହି ଦୁଇଜଣଙ୍କ ଲିଙ୍କରେ କେଉଁମାନେ ଅଛନ୍ତି, ସେମାନଙ୍କୁ ଖୋଜାଯିବ।

ଗ୍ୟାଙ୍ଗ୍‌ ସଜାଡ଼ିବାରେ ସକ୍ରିୟ ଥିଲେ ଡାନି, ରଣିଆ

ଡାନି ଓ ରଣିଆ ଡି-ବ୍ରଦର୍ସ ଗ୍ୟାଙ୍ଗକୁ ସକ୍ରିୟ କରିବା ପାଇଁ କାମ କରୁଥିଲେ। ପୂର୍ବରୁ ଡାନି ଡି-ଗ୍ୟାଙ୍ଗର ଜଣେ ପ୍ରମୁଖ ସହଯୋଗୀ ଥିଲେ। ଧଳସାମନ୍ତ ଭ୍ରାତା ଗିରଫ ହେବା ପରେ ଡାନିଙ୍କୁ ମଧ୍ୟ ଚାଉଳିଆଗଞ୍ଜ ଥାନା ପୋଲିସ ଗିରଫ କରିଥିଲା। ସେ ଜେଲରୁ ଫେରିବା ପରେ ପୁଣି ଡି- ବ୍ରଦର୍ସ ସାମ୍ରାଜ୍ୟକୁ ଚଳାଇବା ପାଇଁ କାମ ଆରମ୍ଭ କରିଦେଇଥିଲେ। ଏପରିକି ଧଳସାମନ୍ତ ଭ୍ରାତାଙ୍କୁ ହାଜର ପାଇଁ କୋର୍ଟକୁ ଅଣାଯିବା ବେଳେ ଡାନି ସେମାନଙ୍କୁ ଭେଟୁଥିଲା ବୋଲି ପୋଲିସ କହିଛି। ଡାନିଙ୍କ ନେତୃତ୍ୱରେ କଟକ ଓ ଏହାର ଉପକଣ୍ଠରେ ଥିବା ବାଲିଘାଟରୁ ଦାଦାବଟି ଆଦାୟ ଚାଲିଥିଲା।

Share