ଆଉ ଏକ ବଡ଼ କମ୍ପାନୀକୁ ମିଳିଲା ଜିଏସଟି ବକେୟା ନୋଟିସ୍, ଦେବାକୁ ପଡ଼ିବ ୩୨୧ କୋଟି ଟଙ୍କା

ନୂଆଦିଲ୍ଲୀ, ୧୭।୧୦: ଦେଶର ଖାଉଟି ଦ୍ରବ୍ୟ ଉତ୍ପାଦନକାରୀ କମ୍ପାନୀ ଡାବର ଇଣ୍ଡିଆକୁ ମିଳିଛି ଜିଏସଟି ବକେୟା ନୋଟିସ୍। ଜିଏସଟି ଅଥରିଟି କମ୍ପାନୀକୁ ୩୨୧ କୋଟି ଟଙ୍କାର ନୋଟିସ ପଠାଇଛନ୍ତି। କମ୍ପାନୀ ବର୍ତ୍ତମାନ ଏହି ନୋଟିସର ତର୍ଜମା କରୁଛି।

ଡାବର ଇଣ୍ଡିଆ ଷ୍ଟକ ଏକ୍ସଚେଞ୍ଜ ନିକଟରେ ରେଗୁଲେଟରି ଫାଇଲିଂରେ କହିଛି ଯେ, ଡିଜିଜିଆଇ ପକ୍ଷରୁ ଏହାକୁ ଟାକ୍ସ ଇଣ୍ଟିମେସନ ନୋଟିସ ମିଳିଛି, ଯେଉଁଥିରେ ଦର୍ଶାଯାଇଛି ଯେ କମ୍ପାନୀକୁ ୩,୨୦,୬୦,୫୩,୦୬୯ କୋଟି ଟଙ୍କା ଦେବାକୁ ପଡ଼ିବ।

ଏହି ନୋଟିସ ସିଜିଏସଟି ଆକ୍ଟ, ୨୦୧୭ ସେକ୍ସନ ୭୪(୫) ଅନୁଯାୟୀ ଜାରି ହୋଇଛି। ଯାହାକୁ ଗୁରୁଗ୍ରାମ ଜୋନାଲ ୟୁନିଟ ପଠାଇଛି। ନୋଟିସରେ କୁହାଯାଇଛି ଯେ, ବକେୟା ଜିଏସଟି ବ୍ୟତୀତ କମ୍ପାନୀକୁ ଏହା ଉପରେ ଲାଗିଥିବା ସୁଧ ଏବଂ ଜୋରିମାନା ମଧ୍ୟ ଦେବାକୁ ପଡ଼ିବ।

ଡାବର ଇଣ୍ଡିଆ କମ୍ପାନୀ ଏହି ବିଷୟରେ କହିଛି ଯେ ଏହା ସମ୍ପୃକ୍ତ ଅଥରିଟିଙ୍କ ନିକଟରେ ଏହାର ଜବାବ ଦେଇ ନୋଟିସକୁ ଚ୍ୟାଲେଞ୍ଜ କରିବ। ତେବେ ଏହି ନୋଟିସ କାରଣରୁ ଆର୍ଥିକ କିମ୍ବା ଅନ୍ୟ କୌଣସି ପରିଚାଳନା ଗତ ସମସ୍ୟା ହୋଇନଥିବା କମ୍ପାନୀ କହିଛି।

Share