ଡାବର ଟୁଥ୍‌ପେଷ୍ଟ ପ୍ୟାକିଂରେ ବ୍ୟବହୃତ ହେବନି କାଗଜ

ନୂଆଦିଲ୍ଲୀ,୨୩।୬: ଦେଶର ଅଗ୍ରଣୀ କମ୍ପାନୀ ଏଫ୍‌ଏମ୍‌ସିଜି କମ୍ପାନୀ ଡାବର ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏଣିକି କାଗଜ କାର୍ଟୁନରେ ପ୍ୟାକିଂ ହୋଇଥିବା ଡାବର ଟୁଥ୍‌ପେଷ୍ଟ ଆଉ ଉପଲବ୍ଧ ହେବ ନାହିଁ। ଅର୍ଥାତ୍‌ ଏବେଠାରୁ କେବଳ ଡାବର ଲାଲ୍‌ ଟୁଥ୍‌ପେଷ୍ଟର ଟ୍ୟୁବ୍‌ ହିଁ ମିଳିବ, କୌଣସି କାଗଜ ପ୍ୟାକିଂ ହେବ ନାହିଁ। ଏଭଳିି ପଦକ୍ଷେପ ନେଇଥିବା ଡାବର ହେଉଛି ପ୍ରଥମ କମ୍ପାନୀ। ସୂଚନା ମୁତାବକ ଡାବର ଇଣ୍ଡିଆ କମ୍ପାନୀ ବର୍ତ୍ତମାନ ବାହ୍ୟ ପେପର ପ୍ୟାକେଜିଂ ଯଥା ନାଲି ପେଷ୍ଟର କାର୍ଟନକୁ ହଟାଇବା ଦିଗରେ କାର୍ଯ୍ୟ କରୁଛି। ଏହାଦ୍ୱାରା ପ୍ରତିବର୍ଷ ୧୫୦ଟନ କାଗଜ ସଞ୍ଚୟ କରାଯାଇପାରିବ। ଦୀର୍ଘ ଦିନରୁ ଗ୍ରାହକମାନେ ଡାବର ଟୁଥପେଷ୍ଟରେ କାଗଜ ପ୍ୟାକେଜିଂ ଉପରେ ପ୍ରତିକ୍ରିୟା ଦେଉଥିଲେ। ଏହାକୁ ଦୃଷ୍ଟିରେ ରଖିବା ସହ ପରିବେଶ ହିତ ପାଇଁ କମ୍ପାନୀ ପକ୍ଷରୁ ଏହି ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି ବୋଲି ଡାବର ଭାଇସ୍‌ ପ୍ରେସିଡେଣ୍ଟ (ମାର୍କେଟିଂ-ପର୍ସନାଲ କେୟାର) ରାଜୀବ ଜନ କହିଛନ୍ତି। ଡାବରର ଏଭଳି ପଦକ୍ଷେପ ଦ୍ୱାରା ବର୍ଷକୁ ୧୫୦ ଟନ କାଗଜ ସଞ୍ଚୟ କରାଯାଇପାରିବ ବୋଲି ଆଶା କରାଯାଉଛି। ତେବେ ଗ୍ରାମୀଣ ଭାରତ ପାଇଁ ଡାବର ଏକ ଅଣ-କାର୍ଟୁନ ସହ କମ୍‌ ୟୁନିଟ ମୂଲ୍ୟର ପ୍ୟାକ୍‌ ଖୁବ୍‌ଶୀଘ୍ର ଲଞ୍ଚ କରିବାକୁ ଯାଉଛି।

Share