ଚଣ୍ଡିଖୋଲ,୫ା୫(ଡି.ଏନ୍.ଏ.): ଯାଜପୁର ଜିଲା ବଡ଼ଚଣା ଥାନା ଅଧୀନ ରାଧାଦେଇପୁର ପଞ୍ଚାୟତ ଅଫିସର ପିଅନ ବସନ୍ତ କୁମାର ସାହୁ(୫୮)ଙ୍କୁ ଗୁରୁବାର ଟ୍ରକ୍ ଚଢ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେ ସକାଳେ ପଞ୍ଚାୟତ ଅଫିସକୁ ସାଇକେଲ୍ରେ ଆସୁଥିବା ସମୟରେ ଏକ ଟ୍ରକ୍ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ବସନ୍ତଙ୍କ ଘର ରାଧାଦେଇପୁର ପଞ୍ଚାୟତର ବିଲିକଣା ଗ୍ରାମରେ ହୋଇଥିଲା ବେଳେ ଟ୍ରକ୍ ଚାଳକ ମଧ୍ୟ ସେହି ଗ୍ରାମର ଅଶୋକ କୁମାର ବଳ। ତେବେ ଉଭୟଙ୍କ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଆସିଛି। ଏଥିପାଇଁ ଅଶୋକ ଟ୍ରକ୍ ଚଢ଼ାଇ ବସନ୍ତଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ବସନ୍ତଙ୍କ ପୁଅ ସାରଦା ପ୍ରସାଦ ପୂର୍ବ ଶତ୍ରୁତା କାରଣରୁ ବାପାଙ୍କୁ ଅଶୋକ ଟ୍ରକ ଚଢ଼ାଇ ହତ୍ୟା କରିଥିବା ନେଇ ଥାନାରେ ଏକ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଏପରି କି ଉତ୍ତ୍ୟକ୍ତ ଲୋକେ ବାଲିଚନ୍ଦ୍ରପୁର-ବଡ଼ଚଣା ରାସ୍ତା ଅବରୋଧ କରି ରଖିଥିଲେ। ବଡ଼ଚଣା ପୋଲିସ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ପୋଲିସ ବସନ୍ତଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ତେବେ ଦୁର୍ଘଟଣା ପରେ ଅଶୋକ ଫେରାର ହୋଇଯାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।