ଥାଲାଇଭାଙ୍କୁ ଦାଦା ସାହେବ ଫାଲ୍‌କେ

ନୂଆଦିଲ୍ଲୀ,୧।୪: ଦକ୍ଷିଣ ସୁପରଷ୍ଟାର୍‌ ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲ୍‌କେ ସମ୍ମାନରେ ସମ୍ମାନୀତ କରାଯିବ। ଏନେଇ କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ଏକ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗତ ୫ ଦଶନ୍ଧି ଧରି ରଜନୀକାନ୍ତ ଫିଲ୍ମ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ଜାରି ରଖିଥିବାରୁ ତାଙ୍କୁ ୨୦୧୯ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଦାଦା ସାହେବ ଫାଲ୍‌କେ ସମ୍ମାନ ପ୍ରଦାନ ପାଇଁ ଗଠନ ହୋଇଥିବା ବିଚାରକ ମଣ୍ଡଳୀ ରଜନୀକାନ୍ତଙ୍କୁ ଏଥିଲାଗି ଚୟନ କରିଥିବା ପ୍ରକାଶ ଜାଭେଡ୍‌କର କହିଛନ୍ତି। ବିଚାରକ ମଣ୍ଡଳୀରେ ଚଳିତ ବର୍ଷ ଆଶା ଭୋସଲେ, ମୋହନଲାଲ୍‌, ବିଶ୍ୱଜିତ୍‌ ଚାଟାର୍ଜୀ, ଶଙ୍କର ମହାଦେବନ ଏବଂ ସୁଭାଷ ଘାଇଙ୍କୁ ସାମିଲ କରାଯାଇଥିଲା। ୫ ଜଣ ସଦସ୍ୟ ପରସ୍ପର ମଧ୍ୟରେ ବିଚାର ବିମର୍ଷ କରି ରାଜନୀକାନ୍ତଙ୍କୁ ୫୧ ତମ ଦାଦା ସାହେବ ସମ୍ମାନରେ ସମ୍ମାନୀତ କରିବାଲାଗି ଚୟନ କରିଛନ୍ତି। ସୂଚନାଯୋଗ୍ୟ ରଜନୀକାନ୍ତଙ୍କୁ ପ୍ରଶଂସକ ଶ୍ରଦ୍ଧାରେ ଥାଲାଇଭା ବୋଲି କହିଥାନ୍ତି। ୧୯୫୦ ଡିସେମ୍ବର ୧୨ରେ ରଜନୀକାନ୍ତ କର୍ନାଟକର ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଶିବାଜୀ ରାଓ ଗାଇକ୍ୱାଡେ। ଦକ୍ଷିଣ ଫିଲ୍ମରେ ଅଭିନୟ କରିବା ସହିତ ରଜନୀକାନ୍ତ ବଲିଉଡ୍‌ରେ ଡେବ୍ୟୁ କରି ମଧ୍ୟ ବେଶ୍‌ ସଫଳ ହୋଇ ପାରିଛନ୍ତି।

Share