ଅବକାରୀ ବିଭାଗର ଦାଦାଗିରି: ଜଙ୍ଗଲ ଭିତରେ ଲୁଚି ରହି ହଠାତ୍‌ ଓଗାଳୁଛନ୍ତି ଜନସାଧାରଣଙ୍କ ରାସ୍ତା

ଦାରିଙ୍ଗବାଡି,୧୫।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ଭାବେ ବେଶ ଜଣାଶୁଣା । ଦୈନିକ ଶହଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ ଯାତାୟାତ କରୁଛନ୍ତି । ତେବେ ଦାରିଙ୍ଗବାଡିଠାରୁ ସୋରଡ଼ା ମଧ୍ୟରେ ପ୍ରାୟ ୨୦ କିମି ଜଙ୍ଗଲ ଓ ଘାଟି ରାସ୍ତା ରହିଛି । ଏହି ଘାଟି ରାସ୍ତାରେ ଯାତାୟାତ ବେଳେ  ପର୍ଯ୍ୟଟକ ମାନେ ଅନେକ ସମୟରେ ଭୟଭୀତ ହୋଇ ଯାତାୟତ କରିଥାନ୍ତି। କାରଣ ଯାତାୟତ କରୁଥିବା ବେଳେ ବାଲିଗୁଡା ଓ ଦାରିଙ୍ଗବାଡି ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଧରିବା ଆଳରେ ଜଙ୍ଗଲରେ ଲୁଚି ରହିଥିବା ଅବକାରୀ ବିଭାଗର ସରକାରୀ ଗାଡି ହଠାତ ରାସ୍ତା ଉପରକୁ ମାଡିଆସି  ପର୍ଯ୍ୟଟକ ଓ ଯାତ୍ରୀମାନଙ୍କୁ ଅଡ଼ୁଆରେ ପକାଉଛନ୍ତି।
ତେବେ ରାଜପଥରେ ପରିବାର ନେଇ ଯାଉଥିବା ପର୍ଯ୍ୟଟକମାନେ ଅବକାରୀ ବିଭାଗର ଏଭଳି ଆଚରଣକୁ ନା ପସନ୍ଦ କରିବା ସହ ଭୟଭୀତ ହେଉଛନ୍ତି । ଏଭଳି ଦୃଶ୍ୟ ମଙ୍ଗଳବାର ଭୋର ସମୟରେ ରାଜପଥର ବାଇମାଲା ନିକଟରେ ଦେଖିବାକୁ ମିଳିଛ। ଅବକାରୀ ବିଭାଗ ଏଭଳି ଯାଞ୍ଚ କରୁଥିବା ସ୍ଥାନଠାରୁ ମାତ୍ର ୧ ଶହ ମିଟର ଦୂରତାରେ ଯାଞ୍ଚ ପାଇଁ ବନ ବିଭାଗର  ଚେକ ଗେଟ୍‌ ରହିଛି। ସେଠାରେ ବନ ବିଭାଗର ସହାୟତାରେ ଉକ୍ତ ଚେକ ଗେଟ୍‌ରେ ଗାଡିମୋଟର ଯାଞ୍ଚ କରିପାରନ୍ତା। ମାତ୍ର ତାହା ନ କରି ଯାତ୍ରୀ ଯାତାୟତ ସମୟରେ ନିଜ ସରକାରୀ ଗାଡିକୁ ଅପବ୍ୟବହାର କରି ହଠାତ ଯାତ୍ରୀଙ୍କ ଗାଡି ସାମ୍ନାକୁ ଆସି ଅଟକାଇବା କେତେ ଯଥାର୍ଥ ଅଛି ତାହାକୁ ନେଇ ପ୍ରଶ୍ନ ଉଠୁଛି। ଜିଲା ପୋଲିସ ପ୍ରଶାସନ ତଦନ୍ତ କରି ରାଜପଥରେ ଯାତାୟାତ କରୁଥିବା ମହିଳା ପର୍ଯ୍ୟଟକ ଓ ଯାତ୍ରୀଙ୍କୁ ସୁରକ୍ଷିତ ଯାତାୟାତ ବ୍ୟବସ୍ଥା କରିବା ଆବଶ୍ୟକ ରହିଛି ବୋଲି ସାଧାରଣରେ ଦାବି ହେଉଛି । ଉକ୍ତ ରାଜପଥରେ ପ୍ରସୂତି, ରୋଗୀ ବ୍ରହ୍ମପୁରକୁ ଯାତାୟତ ସମୟରେ ମଧ୍ୟ ଅବକାରୀ ବିଭାଗର ଏଭଳି ଆଚରଣ ଲୋକଙ୍କୁ ଚକିତ କରୁଛି।
ଏ ନେଇ ଅବକାରୀ ବିଭାଗର ଦାରିଙ୍ଗବାଡି ଓଆଇସି ପ୍ରକାଶ ଚନ୍ଦ୍ର ମଲିକ କହିଛନ୍ତି ଯେ, ଯଦି ସରକାରୀ ଗାଡି ଏଭକି ରାସ୍ତାରେ ଅଟକାଇବ ନାହିଁ ତେବେ ଚୋରା ଚାଲାଣ କରୁଥିବା ଗଞ୍ଜେଇ ବେପାରୀ ଆମକୁ ଗାଡି ତଳେ  ଚାପିଦେଇ ପଳାଇବେ ବୋଲି ସେ ଯୁକ୍ତି ବଢିଛନ୍ତି ।
ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ସରକାର ଗୁଇନ୍ଦା ବିଭାଗକୁ ନିୟୋଜିତ କରିଥିବା ବେଳେ ଗୁଇନ୍ଦା ରିପୋର୍ଟ ଅନୁସାରେ ସନ୍ଦେହ ଘେରରେ ଥିବା ଗାଡି ଗୁଡିକୁ ଅଟକାଇବା ବଦଳରେ କିଭଳି ସମସ୍ତ ଗାଡିକୁ ରାଜପଥରେ ହଇରାଣ କରାଯାଉଛି । ବିଶେଷ କରି ମହିଳାମାନେ ଅବକାରୀ ବିଭାଗର ଏଭଳି ଆଚାରଣକୁ ନେଇ ଭୟଭୀତ ହେଉଥିବା ଅଭିଯୋଗ ହେଉଛି।
ଏନେଇ ବିଭାଗର ବାଲିଗୁଡା ଆଇଆଇସି ରାମଜୀ ପଟେଲ କହିଛନ୍ତି ଯେ, ଏଭଳି ଅଟକାଇବା କୌଣସି ଗାଇଡଲାଇନ୍‌ ନଥିବା ବେକେ କେବଳ ଗଞ୍ଜେଇ ବେପାରୀଙ୍କୁ ଧରିବାକୁ ଆମେ ଏଭଳି କରୁଛୁ। ଭଦ୍ରଲୋକ ଦେଖିଲେ ଛାଡି ଦେଉଛୁ।
Share