କୋକସରା,୪।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡା ପଞ୍ଚାୟତ ମହୁଲମୁଣ୍ଡା ଗ୍ରାମର ଦାଦନ ଦଲାଲ ଲକ୍ଷ୍ମୀଧର ଦୁର୍ଗାଙ୍କ କଥାରେ ପଡି ଆଜକୁ ଦେଢ଼ମାସ ହେବ ମାଝିଗୁଡା ଗ୍ରାମର ବିଶେକ ନାଏକ(୬୦) ହାଇଦ୍ରାବାଦସ୍ଥିତ ଏକ ଘରୋଇ କମ୍ପାନୀରେ ଦିନମଜୁରିଆ ଭାବେ କାମ କରୁଥିଲେ। ଗତ ଜାନୁୟାରୀ ୨୪ ତାରିଖରୁ ନିଖୋଜ ଥିବା ନେଇ କମ୍ପାନୀରେ ନିୟୋଜିତ କରିଥିବା ଲକ୍ଷ୍ମୀଧର ପରିବାରକୁ ଫୋନ କରି ଜଣାଇଥିଲେ। ଏଣେ ଦାଦନ ସର୍ଦ୍ଦାର ଲକ୍ଷ୍ମୀଧର ନିଜେ ହାଇଦ୍ରାବାଦରୁ ଚାଲି ଆସି ନିଜ ଗାଁରେ ନ ରହି ଶ୍ୱଶୁର ଘର ଗୋତୋମୁଣ୍ଡାକୁ ଆସି ରହୁଥିବା ଓ ଫୋନ କଲେ ମଧ୍ୟ ଉଠାଉ ନ ଥିବା ନିଖୋଜ ଦାଦନଙ୍କ ସ୍ତ୍ରୀ ପାର୍ବତୀ ନାଏକ ଓ ତାଙ୍କ ପୁଅ ଆସି କୋକସରା ଥାନାରେ ଅଭିଯୋଗ କରିଛନ୍ତି। ନିଖୋଜ ସ୍ବାମୀଙ୍କୁ ଖୋଜି ଫେରାଇ ଆଣିବାକୁ ସେ ନିବେଦନ କରିଛନ୍ତି। ଏ ନେଇ କୋକସରା ଥାନା ଏସଆଇ ଗୋପବନ୍ଧୁ ନାଏକଙ୍କ ପ୍ରତିକ୍ରିୟା ନେବାରୁ ଲିଖିତ ଅଭିଯୋଗ ହୋଇଛି। ଲକ୍ଷ୍ମୀଧରଙ୍କୁୁ ମଧ୍ୟ ଡାକି ପଚାରାଉଚୁରା କରାଯାଇଛି ଓ ସେ ବିଶେକଙ୍କୁ ହାଇଦ୍ରାବାଦ ଯାଇ ଘରକୁ ଫେରାଇ ଆଣିବା ପାଇଁ କହିଛି। ନଚେତ ଆଗକୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।