ଦାଦନ ଶ୍ରମିକଙ୍କୁ ନିସ୍ତୁକ ମାଡ଼

ବଲାଙ୍ଗୀର ଅଫିସ, ୮ା୪: ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଦାଦନ ଶ୍ରମିକଙ୍କ ନିର୍ଯାତନା ଥମୁନାହିଁ। ରାଜ୍ୟ ବାହାରେ ଇଟାଭାଟିରେ କାମ କରିବାକୁ ଯାଇଥିବା ଦୁଇଜଣ ଦାଦନ ଶ୍ରମିକଙ୍କୁ ଦାଦନ ସର୍ଦ୍ଦାର ଏକ ପାଇପ ଯୋଗେ ନିସ୍ତୁକ ମାଡ଼ ମାରୁଥିବା ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଏକ ଭିଡିଓ ଭାଇରାଲ ହେବା ପରେ ପୁଣି ଥରେ ଦାଦନ ନିର୍ଯାତନା ପ୍ରସଙ୍ଗକୁ ଉଜ୍ଜୀବିତ କରିଛି।
ଭିଡିଓରେ କଣ୍ଟାବାଞ୍ଜି ଅଞ୍ଚଳର ଜଣେ ଦାଦନ ସର୍ଦ୍ଦାର ଏକ ପାଇପ ଯୋଗେ ଦୁଇଜଣ ଦାଦନ ଶ୍ରମିକଙ୍କୁ ନିସ୍ତୁକ ମାଡ଼ ମାରୁଥିବା ଦେଖାଯାଇଛି। ଉଭୟ ଶ୍ରମିକଙ୍କୁ ପିଟିବା ଦୃଶ୍ୟକୁ ଏକ ମୋବାଇଲରେ ରେକର୍ଡିଂ କରାଯାଇଛି। ସମ୍ପୃକ୍ତ ଦାଦନ ସର୍ଦ୍ଦାର ଜଣକ ସେହି ଦୁଇ ଦାଦନ ଶ୍ରମିକଙ୍କୁ ମାଡ଼ ମାରୁଥିବା ଦୃଶ୍ୟ ରେକର୍ଡିଂ କରିବାକୁ କହିଥିବା ଓ ମାଡ଼ ମାରିସାରିଲା ପରେ ଉକ୍ତ ମୋବାଇଲ ରେକର୍ଡିଂକୁ ବନ୍ଦ କରୁଥିବା ଭାଇରାଲ ଭିଡିଓରୁ ସ୍ପଷ୍ଟ ହୋଇଛି। ମାଡ଼ ମାରୁଥିବା ସର୍ଦ୍ଦାର କଣ୍ଟାବାଞ୍ଜିର ବୋଲି କୁହାଯାଉଥିଲେ ମଧ୍ୟ ମାଡ଼ର ଶିକାର ଶ୍ରମିକ ଦୁଇଜଣ କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇନାହିଁ। ମାଡ଼ ଖାଉଥିବା ଦାଦନ ଶ୍ରମିକଙ୍କ ମଧ୍ୟରୁ ଜଣେ ସାବାଳକ ଓ ଜଣେ ନାବାଳକ ଭଳି ଦେଖାଯାଉଛନ୍ତି। ଏହି ପୀଡ଼ିତ ଦୁଇ ଦାଦନ ବଲାଙ୍ଗୀର ଜିଲାର ଏବଂ ସେମାନେ ଆନ୍ଧ୍ରପ୍ରଦେଶ ବା ତେଲଙ୍ଗାନାକୁ କାମ କରିବାକୁ ଯାଇଛନ୍ତି ବୋଲି କୁହାଯାଉଛି। ଉକ୍ତ ଦାଦନ ଶ୍ରମିକଙ୍କୁ ବନ୍ଧକ ରଖି ମାଡ଼ ମାରୁଥିବା ନେଇ ଆଲୋଚନା ହୋଇଥିଲେ ମଧ୍ୟ ଏ ନେଇ ଜିଲା ପ୍ରଶାସନ ବା ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏନେଇ ଜିଲା ଶ୍ରମ ଅଧିକାରୀ ସୁରେଶ କୁମାର ବେହେରାଙ୍କୁ ତାଙ୍କ ମୋବାଇଲ ନଂ.୯୪୩୭୧୮୮୧୬୩ରେ ଯୋଗାଯୋଗ କରାଯାଇଥିଲା, କିନ୍ତୁ ସେ ଫୋନ ରିସିଭ କରି ନ ଥିଲେ। ସୂଚନାଯୋଗ୍ୟ ଯେ କିଛିଦିନ ତଳେ ବଲାଙ୍ଗୀର ଜିଲାର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ରାଜ୍ୟ ବାହାରର ଏକ ଇଟାଭାଟିରେ ଯୌନ ନିର୍ଯାତନା ଦିଆଯାଇଥିବା ଭିଡିଓ ଭାଇରାଲ ହୋଇଥିଲା।

Share